କାଶ୍ମୀରରେ ୧୩ ଆତଙ୍କବାଦୀ ନିପାତ, ବଡ଼ଗାମରେ ଆତଙ୍କବାଦୀଙ୍କ ୬ ସହଯୋଗୀ ଗିରଫ

ଶ୍ରୀନଗର: ସୁରକ୍ଷାବାହିନୀର ଅପରେସନ୍‌ରେ ଜମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲା ସ୍ଥିତ ନୌସେରା ସେକ୍ଟର ଓ ମେଣ୍ଢର ସେକ୍ଟରରେ ୧୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ନୌସେରା ‌‌ସେକ୍ଟର‌ରେ ସୁରକ୍ଷାବାହିନୀ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ମେଣ୍ଢର ସେକ୍ଟରରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି ‌ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବାପାଇଁ ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ପକ୍ଷରୁ ଗତ ମେ’ ୨୮ ତାରିଖରୁ ଅପରେସନ୍‌ ଆରମ୍ଭ ହୋଇଥିଲା। ଏଥିରେ ୧୩ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅପରେସନ୍‌ ଏବେ ବି ଜାରି ରହିଛି। ପୁଞ୍ଚ୍‌ ଜିଲ୍ଲାର ଗ୍ରାମଗୁଡ଼ିକରେ ଏବେ ବି ଅପରେସନ୍‌ ଜାରି ରହିଛି।

ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟ ପକ୍ଷେ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଇବାରେ ବ୍ୟସ୍ତ ଅଛି। ଏଲ୍‌ଓସି ନିକଟରେ ଅନେକ ସଂଖ୍ୟାରେ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ଥିବା ଗୁଇନ୍ଦା ସୂଚନା ମିଳିବା ପରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀର ବଡ଼ଗାମରେ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ଏକ ଜେଇଏମ୍‌ ଗୋଷ୍ଠୀର ସନ୍ଧାନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ୬ ସହଯୋଗୀ ଗିରଫ ହୋଇଛନ୍ତି। ପୁଲିସ, ସେନା ଏବଂ ସିଆରପିଏଫ୍‌ର ମିଳିତ ଅପରେସନ୍‌ରେ ଜେଇଏମ୍‌ର ନୂଆ ଗୋଷ୍ଠୀକୁ ଠାବ କରାଯିବା ସହ ସେମାନଙ୍କଠାରୁ ଚୀନ୍‌ ନିର୍ମିତ ବନ୍ଧୁକ, ହ୍ୟାଣ୍ଡ୍‌ ଗ୍ରେନେଡ୍‌, ୧ କିଲୋ ନା‌ର୍କୋ ହେରୋଇନ୍‌ ସମେତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କର ଏହି ସହଯୋଗୀମାନେ ପାକିସ୍ତାନ ଆତଙ୍କବାଦୀଙ୍କ ସଂପର୍କରେ ଥିଲେ ଏବଂ ଅସ୍ତ୍ର କାରବାରରେ ଲିପ୍ତ ଥିଲେ। ଏଥିସହ ଜେଇଏମ୍‌ର ସକ୍ରିୟ ସଦସ୍ୟମାନଙ୍କୁ ସେମାନେ ଅର୍ଥ ଯୋଗାଉଥିବା ମାମଲାରେ ପୁଲିସ୍‌ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର