ପାକିସ୍ତାନରେ ବିକ୍ଷୋଭ: ସଂଘର୍ଷରେ ଜଣେ ମୃତ, ୧୩୦ ଆହତ

ଇସଲାମାବାଦ: ପାକିସ୍ତାନରେ ଇସ୍‌ଲାମ୍‌ ପ୍ରଦର୍ଶନକାରୀଙ୍କ ବିକ୍ଷୋଭ ଏବଂ ସରକାରଙ୍କ ଗଣମାଧ୍ୟମ ବିରୋଧୀ ଆଭିମୁଖ୍ୟ ବିରୋଧରେ ଆଜି ପୁଲିସର କାର୍ଯ୍ୟାନୁଷ୍ଠାନ ହିଂସାତ୍ମକ ରୂପ ନେଇଛି। ଭୀଷଣ ଜଳାପୋଡ଼ା ସାଙ୍ଗକୁ ସଂଘର୍ଷରେ ଅତି କମ୍‌ରେ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ପୁଲିସ ଓ ବିକ୍ଷୋଭକାରୀ ଆହତ ହୋଇଛନ୍ତି।

ଉଲ୍ଲେଖ ଥାଉ କି, ଆଇନ ମନ୍ତ୍ରୀ ଜାହିଦ୍‌ ହମିଦ୍‌ଙ୍କ ଇସ୍ତଫା ଦାବିରେ ଶୁକ୍ରବାର ରାତିରୁ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଏକଜୁଟ ହେବାରେ ଲାଗିଥିଲେ। ଆଜି ପ୍ରାୟ ୨,୦୦୦ ପାଖାପାଖି ଆନ୍ଦୋଳନକାରୀ ରାଜଧାନୀ ଇସଲାମାବାଦର ମୁଖ୍ୟରାସ୍ତାକୁ ଅବରୋଧ କରିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଥିଲା। ସେମାନଙ୍କୁ ମୁକାବିଲା କରିବା ପାଇଁ ପାଖାପାଖି ୮,୫୦୦ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ତେବେ ବିକ୍ଷୋଭକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ଥିବା ବେଳେ ଘଟଣାସ୍ଥଳରୁ ପ୍ରତ୍ୟକ୍ଷଦର୍ଶୀ ବିବରଣୀର ସିଧା ପ୍ରସାରଣ ନକରିବା ପାଇଁ ସରକାର ସମସ୍ତ ବେସରକାରୀ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିକ୍ଷୋଭ ଆହୁରି ଉଗ୍ରରୂପ ନେଇଥିଲା। ଆନ୍ଦୋଳକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଓ ସୁରକ୍ଷା କର୍ମୀମାନେ ଲାଠିଚାର୍ଜ ସାଙ୍ଗକୁ ଲୁହବୁହା ବାଷ୍ପ ପ୍ରୟୋଗ ଓ ରବର ଗୁଳିମାଡ଼ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିକ୍ଷୋଭକାରୀମାନେ ଢେଲାମାଡ଼ କରିବା ସାଙ୍ଗକୁ ପୁଲିସ ଗାଡ଼ି ସମେତ ରାସ୍ତାରେ ଥିବା ବିଭିନ୍ନ ଯାନବାହନରେ ଜଳାପୋଡ଼ା ଆରମ୍ଭ କରିଦେଇଥିଲେ। ଜନତାଙ୍କ ସହ ପୁଲିସର ସଂଘର୍ଷରେ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ତେବେ ଖବର ଲେଖା ହେଲା ସୁଦ୍ଧା ପୁଲିସ-ଜନତା ଛକାପଞ୍ଝା ରହିଥିବା ବେଳେ ଅନୁରୂପ ଅଶାନ୍ତ ସ୍ଥିତି ଜାରି ରହିଛି।

ସମ୍ବନ୍ଧିତ ଖବର