ନୂଆଦିଲ୍ଲୀ : ୨୦୫୦ ସୁଦ୍ଧା ବିଶ୍ବ ଜନସଂଖ୍ୟାର ୧୩.୪ ପ୍ରତିଶତ ତଥା ୧୩୦ କୋଟି ଲୋକ ମଧୁମେହ ସହ ବଞ୍ଚିବେ। ୨୦୨୧ରେ ବିଶ୍ବ ଜନସଂଖ୍ୟାର ୬.୭ ପ୍ରତିଶତ ତଥା ୫୨୯ ନିୟୁତ ଲୋକ ମଧୁମେହରେ ପୀଡ଼ିତ ଥିବାବେଳେ ୨୦୫୦ ବେଳକୁ ଏହା ଦ୍ବିଗୁଣ ହୋଇଯିବ। ଲାନ୍ସେଟରେ ପ୍ରକାଶିତ ଏକ ନୂଆ ରିପୋର୍ଟରୁ ଏହା ଜଣାପଡ଼ିଛି। ଆସନ୍ତା ୩୦ ବର୍ଷ ମଧ୍ୟରେ କୌଣସି ରାଷ୍ଟ୍ରରେ ବି ମଧୁମେହ ହାର କମିବା ଭଳି ଆଶା କରାଯାଉନି। ସଚେତନତା ବୃଦ୍ଧି ସତ୍ତ୍ବେ ଏବଂ ବିଭିନ୍ନ ରାଷ୍ଟ୍ରର ବ୍ୟାପକ ଉଦ୍ୟମ ସତ୍ତ୍ବେ ମଧୁମେହ ରୋଗ ଉପରେ ନିୟନ୍ତ୍ରଣ କରିହେଉନି। ଏହା ଅତି ଦ୍ରୁତ ଗତିରେ ବଢ଼ୁଛି। କମ୍ ଏବଂ ମଧ୍ୟମ ରୋଜଗାର ଥିବା ରାଷ୍ଟ୍ରଗୁଡ଼ିକରେ ମଧୁମେହଜନିତ ରୋଗ, ଅସୁସ୍ଥତା ଏବଂ ମୃତ୍ୟୁ ବଢ଼ୁଛି।
ସେହିପରି ଗତ ସପ୍ତାହରେ ପ୍ରକାଶ କରାଯାଇଥିବା ଅନ୍ୟ ଏକ ଲାନ୍ସେଟ୍ ରିପୋର୍ଟ ଅନୁଯାୟୀ ଅନ୍ୟ ରାଷ୍ଟ୍ର ଅପେକ୍ଷା ଭାରତରେ ଅଣସଂକ୍ରାମକ ରୋଗର ବୋଝ ଅଧିକ। ଦେଶରେ ୧୦୧ ନିୟୁତ ଲୋକ ଡାଇବେଟିସରେ ପୀଡ଼ିତ। ୧୩୬ ନିୟୁତ ଲୋକ ହେଉଛନ୍ତି ପ୍ରିଡାଇବେଟିକ୍। ଆକଳନରୁ ଜଣାପଡ଼ିଛି ଯେ ୨୦୪୫ ସୁଦ୍ଧା କମ୍ ଏବଂ ମଧ୍ୟମ ରୋଜଗାର ଥିବା ରାଷ୍ଟ୍ରଗୁଡ଼ିକର ବୟସ୍କଙ୍କ ମଧ୍ୟରୁ ୩ ଭାଗରୁ ଅଧିକଙ୍କୁ ମଧୁମେହ ହୋଇଥିବ। ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ମହାମାରୀ ଯୋଗୁ ବିଶ୍ବବ୍ୟାପୀ ମଧୁମେହ ଜନିତ ସଙ୍କଟ ବଢ଼ିଗଲା ଏବଂ ଅଧିକରୁ ଅଧିକ ଲୋକ ମଧୁମେହରେ ପୀଡ଼ିତ ହେଲେ।