ବିଦା ହେବେ ୧୩ ହଜାର ରେଳ କର୍ମଚାରୀ

ଅନୁମତି ନନେଇ ଅନୁପସ୍ଥିତି

ନୂଆଦିଲ୍ଲୀ: ଅନୁମତି ନନେଇ ଦୀର୍ଘ ଦିନ ଧରି ନିଜ କର୍ତ୍ତବ୍ୟସ୍ଥଳରେ ଅନୁପସ୍ଥିତ ରହିବା ଘଟଣା ରେଳବାଇ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରେଲ ବିଭାଗ ସେ ପ୍ରକାର ୧୩ ହଜାର କର୍ମଚାରୀଙ୍କୁ ବହିଷ୍କାର କରିବ ବୋଲି ଜଣାଯାଇଛି।

ଉଲ୍ଲେଖ ଥାଉ କି, ବିଭାଗୀୟ କର୍ମଚାରୀଙ୍କ ଦକ୍ଷତା ଏବଂ କାର୍ଯ୍ୟଶୈଳୀକୁ ଅଧିକ ଗୁଣାତ୍ମକ କରିବା ଲକ୍ଷ୍ୟରେ ରେଳବିଭାଗ ଏବେ ଏକ ଅଭିଯାନ ଆରମ୍ଭ କରିଛି। ଏ ପରିପ୍ରେକ୍ଷୀରେ କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କୁ ବିଭାଗ ପ୍ରୋତ୍ସାହିତ କରିବା ସହ ନିୟମିତ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଦଣ୍ଡିତ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ। ଏହି କ୍ରମରେ ରେଳ ବିଭାଗ ନିକଟରେ ଦଳେ କର୍ମଚାରୀଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦେଇଛି। ସେହିପରି ବିନା ଅନୁମତିରେ ଦୀର୍ଘ ଦିନ ଧରି ଅନୁପସ୍ଥିତି ରହୁଥିବା କର୍ମଚାରୀଙ୍କର ମଧ୍ୟ ତାଲିକା ପ୍ରସ୍ତୁତ କରିଛି। ରେଳବାଇରେ କାର୍ଯ୍ୟ କରୁଥିବା ମୋଟ ୧୩ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୩ ହଜାରରୁ ଅଧିକ ବିଭିନ୍ନ ପାହ୍ୟାର କର୍ମଚାରୀ ଜାଣିଶୁଣି କର୍ତ୍ତବ୍ୟରେ ଠକୁଥିବା ଜାଣିବାକୁ ମିଳିଛି। ତେଣୁ ସେମାନଙ୍କୁ ଚାକିରିରୁ ବରଖାସ୍ତ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି। ଏହା ଅନ୍ୟମାନଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ କାମ ଦେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର