ମୋର୍‌ବୀ କେବଲ୍‌ ବ୍ରିଜ୍‌ ଅଘଟଣ: ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି; ଉଦ୍ଧାର ଅଭିଯାନ ଜାରି

ମୋର୍‌ବୀ: ରବିବାର ସନ୍ଧ୍ୟା ବେଳେ ଗୁଜରାଟର ମୋର୍‌ବୀ ଜିଲ୍ଲାରେ ପ୍ରବାହିତ ମଚ୍ଛୁନଦୀ ଉପରେ ନିର୍ମିତ କେବଲ୍‌ ବ୍ରିଜ୍‌ ଭାଙ୍ଗିପଡ଼ିବା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା କଥା ଆଜି ସକାଳେ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗୱି କହିଛନ୍ତି।

ଗୁଜରାଟ ସୂଚନା ବିଭାଗ କହିଛି, ପ୍ରାୟ ୧୭୭ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ୧୯ଜଣ ଚିକିତ୍ସାଧୀନ ଅଛନ୍ତି। ସେନା, ନୌସେନା, ବାୟୁସେନା, ‘ଏନ୍‌ଡିଆର୍‌ଏଫ୍‌’ ଏବଂ ଅଗ୍ନିଶମ ବାହିନୀ ତଲାସ ଅଭିଯାନ ଚଳାଇଛନ୍ତି।

ରାଜକୋଟ ଏବଂ ସୁରେନ୍ଦ୍ରନଗର ସମେତ କେତେଗୁଡ଼ିଏ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାୟ ୪୦ଜଣ ଡାକ୍ତର ମୋର୍‌ବୀ ସିଭିଲ୍‌ ହସ୍‌ପିଟାଲ୍‌ରେ ଜରୁରୀ ଚିକିତ୍ସା ସେବା ଚଳାଇଛନ୍ତି। ଚିକିତ୍ସାଧୀନ ୧୯ଜଣ ଆହତଙ୍କ ମଧ୍ୟରୁ ଉନ୍ନତ ଚିକିତ୍ସା ନିମନ୍ତେ ୩ଜଣଙ୍କୁ ରାଜକୋଟ ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି।

Image Courtesy of ANI

ମଚ୍ଛୁନଦୀ ମଧ୍ୟକୁ ଖସିପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ‘ଏନ୍‌ଡିଆର୍‌ଏଫ୍‌’ର ୫ଟି ଟିମ୍‌ ଗତରାତିରୁ ତଲାସ ଅଭିଯାନ ଜାରି ରଖିଛନ୍ତି।

ଭାରତୀୟ ସେନାର ମେଜର୍‌ ଗୌରବ କହିଛନ୍ତି: ଏବେ ବି ଉଦ୍ଧାର ଅଭିଯାନ ଚାଲିଛି। ରାତି ପ୍ରାୟ ୩ଟା ବେଳେ ଭାରତୀୟ ସେନା ଏଠାରେ ପହଞ୍ଚିଛି। ଆମେ ଶବ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛୁ। ‘ଏନ୍‌ଡିଆର୍‌ଏଫ୍‌’ର ଟିମ୍‌ ସବୁ ମଧ୍ୟ ଉଦ୍ଧାର ଅଭିଯାନ ଚଳାଇଛନ୍ତି।

ଆଜି ସକାଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗ୍‌ୱି କହିଛନ୍ତି, ଧାରା ୩୦୪, ୩୦୮ ଏବଂ ୧୧୪ ଅନୁସାରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଉଚ୍ଚସ୍ତରୀୟ କମିଟି ଘଟଣାର ତଦନ୍ତ କରିବ। ୨୦୦ରୁ ଅଧିକ ଲୋକ ରାତି ସାରା ତଲାସ ଓ ଉଦ୍ଧାର ଅଭିଯାନ ଚଳାଇଥିଲେ।

ସମ୍ବନ୍ଧିତ ଖବର