ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଉପଲବ୍ଧ ହେବ ୧୩୫ କୋଟି ଟିକା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କ ଲୋକଙ୍କୁ କରୋନା ଟିକା ଦେବା ପାଇଁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ସରକାରଙ୍କ ଏହି ଘୋଷଣାର ସଫଳତା ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି। ତେବେ ସମସ୍ତଙ୍କୁ ଟିକା ଦେବା ଲକ୍ଷ୍ୟର ରୋଡ୍ ମ୍ୟାପ୍ ବିଷୟରେ ସରକାର ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୂଚନା ଦେଇଛନ୍ତି। ସୋମବାର ଗୃହ ମନ୍ତ୍ରଣାଳୟ ସହିତ ସଂଲଗ୍ନ ସଂସଦୀୟ ସ୍ଥାୟୀ କମିଟିର ଏକ ବୈଠକରେ କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ଅଧିକାରୀମାନେ ଏହାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏକ ଉପସ୍ଥାପନା ଦେଇଛନ୍ତି। ସେମାନଙ୍କ କହିବାନୁସାରେ, ଅଗଷ୍ଟ ମାସରୁ ସାରା ଦେଶରେ ଟିକା ଯୋଗାଣ ବହୁତ ବୃଦ୍ଧି ପାଇବ |

ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପ୍ରାୟ ୧୩୫ କୋଟି ଟିକା ଡୋଜ ଯୋଗାଣ ହେବ, ଯାହା ପ୍ରତ୍ୟେକ ବୟସ୍କଙ୍କୁ ଟିକା ଦେବା ପାଇଁ ଯଥେଷ୍ଟ। ସବୁଠୁ ବଡ କଥା ହେଉଛି ଏଥିରେ ଫାଇଜର, ମଡ଼ର୍ଣ୍ଣା କିମ୍ବା ଜନସନ ଆଣ୍ଡ ଜନସନ ଭଳି କମ୍ପାନୀଗୁଡିକର ଟିକା ଅନ୍ତର୍ଭୂକ୍ତ କରାଯାଇ ନାହିଁ |

ଯେଉଁ କମ୍ପାନୀଗୁଡିକ ଟିକା ଦେବାର ସମ୍ଭାବନା ରହିଛି, ସେମାନଙ୍କ ମଧ୍ୟରେ କୋଭିଶିଲ୍ଡର ୫୦ କୋଟି ଡୋଜ୍, କୋଭାକସିନର ୪୦କୋଟି ଡୋଜ, ବାୟୋ ଇ’ର କୋଭାଭାକ୍ସର ୩୦କୋଟି ଡୋଜ୍, ସ୍ପୁଟ୍ନିକ୍ ଭି ର ୧୦କୋଟି ଡୋଜ ଏବଂ ଜାଇଡସ କ୍ୟାଡିଲାର ଜାୟକୋଭ୍ ଡି ର ୫ କୋଟି ଡୋଜକୁ ସାମିଲ କରାଯାଇଛି । ଏପର୍ଯ୍ୟନ୍ତ ଦେଶର ୩୩ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି। ଏଥିମଧ୍ୟରୁ ପ୍ରାୟ ୫.୬୦ କୋଟି ଲୋକ ଅଛନ୍ତି ଯେଉଁମାନେ ଉଭୟ ଡୋଜ ଦେଇଛନ୍ତି।

ସମ୍ବନ୍ଧିତ ଖବର