କଶ୍ମୀର ମଧ୍ୟକୁ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ୧୩୫ ଆତଙ୍କବାଦୀ: ବିଏସଏଫ

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମାର ଏଲଓସିରେ ପ୍ରାୟ ୧୩୫ ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ସୀମା ପାର ଲଞ୍ଚ ପ୍ୟାଡମାନଙ୍କରେ ଉପସ୍ଥିତ ଅଛନ୍ତି ଏବଂ ଭାରତରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି ବୋଲି ବିଏସଏଫ ଇନ୍‌ସପେକ୍ଟର ଜେନେରାଲ ରାଜା ବାବୁ ସିଂ ସୋମବାର କହିଛନ୍ତି।

ବିଏସ୍‌ଏଫ୍‌ ଆଇଜି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ନିୟନ୍ତ୍ରଣ ରେଖା (ଏଲଓସି)ରେ ସାମଗ୍ରିକ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ପୂର୍ବ ବର୍ଷତୁଳନାରେ ୨୦୨୧ରେ ଅନୁପ୍ରବେଶ ସଂଖ୍ୟା କମ୍‌ ରହିଥିଲା। ଏଲଓସିରେ ସାମଗ୍ରିକ ଦୃଶ୍ୟ ଶାନ୍ତିପୂର୍ଣ୍ଣ ରହିଛି। ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ କଶ୍ମୀର ସୀମାନ୍ତ ଏଲଓସିରେ ସାଧାରଣ ଶାନ୍ତି ଦେଖାଦେଇଛି ବୋଲି ସୀମା ସୁରକ୍ଷା ବାହିନୀ (ବିଏସଏଫ) ଅଧିକାରୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି।

ଅନୁପ୍ରବେଶ ସଂଖ୍ୟା ଉପରେ ବିବରଣୀ ଦେଇ ସେ କହିଥିଲେ ଯେ ୨୦୨୧ରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ୫୮ ଟି ପ୍ରୟାସ କରାଯାଇଥିଲା, ଯେଉଁଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ, ୨୧ ଜଣ ଫେରିି ଯାଇଥିଲେ ଏବଂ ଜଣେ ଆତ୍ମସମର୍ପଣ କରିଥିଲା।

ଇନ୍‌ସପେକ୍ଟର ଜେନେରାଲ (ଆଇଜି) କହିଛନ୍ତି, ୨୦୨୧ରେ ୩୧ ଜଣ, ୨୦୧୯ରେ ୧୩୦ ଏବଂ ୨୦୨୦ ରେ ୩୬ ଜଣ ଅନୁପ୍ରବେଶ କରିଥିବା ଖବର ଆସିଛି। ସେ କହିଛନ୍ତି ଯେ ୨୦୨୧ରେ ବିଏସଏଫ ସଫଳତାର ସହ ତିନିଟି ଏକେ-୪୭ ରାଇଫଲ, ଛଅଟି ନଅ ମିମି ପିସ୍ତଲ, ୧,୦୭୧ ଗୋଳାବାରୁଦ, ୨୦ଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ଆଇଇଡି ଏବଂ ୧୭.୩ କିଲୋଗ୍ରାମ ହେରୋଇନ – ୮୮କୋଟି ଟଙ୍କା ମୂଲ୍ୟର – ଉଦ୍ଧାର କରିଛି।

ଏଥିସହ ଆଇଜି ବିଏସଏଫ କହିଛି ଯେ ଏଲଓସିର ବିଭିନ୍ନ ଲଞ୍ଚ ପ୍ୟାଡରେ ୧୦୪ରୁ ୧୩୫ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି ଏବଂ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି। ଏହା ମଧ୍ୟ ଖବର ଅଛି ଯେ କିଛି ଗାଇଡ୍‌ ଏଠାରୁ ଯାଇ ଏଲଓସି ଅତିକ୍ରମ କରି ସେହି ପାର୍ଶ୍ୱକୁ ଯାଇଛନ୍ତି। ତେଣୁ, ସେମାନେ ଫେରିବା ପରେ ଆମକୁ ସେମାନଙ୍କୁ ତଦାରଖ କରିବା ଆବଶ୍ୟକ। ସେମାନଙ୍କ ପରିବାର ଉପରେ ନଜର ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ସିଂ କହିଛନ୍ତି ଯେ ସେନା ଏବଂ ବିଏସଏଫ ମଧ୍ୟରେ ବହୁତ ସମନ୍ଵୟ ରହିଛି। ଆମେ ଯେତେ ଅଧିକ ଅଞ୍ଚଳରେ ନଜର ରଖିବା ଏବଂ ତଦାରଖ କରିବା, ସେମାନଙ୍କ ପାଇଁ ଅନୁପ୍ରବେଶ କରିବା ଅଧିକ କଷ୍ଟକର ହେବ। ଆମେ ସମସ୍ତ ପ୍ରୟାସ କରୁଛୁ ଯାହା ଦ୍ୱାରା କୌଣସି ଅନୁପ୍ରବେଶ ଘଟିପାରିବ ନାହିଁ ଏବଂ ଶୂନ୍ୟ ଅନୁପ୍ରବେଶ ଘଟିବ ବୋଲି ସେ କହିଛନ୍ତି। ଆଇଜି ବିଏସଏଫ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ କେହି ଏଲଓସି ଅତିକ୍ରମ କରୁଥିବାର ନଜର ଆସେ, ତେବେ ତାଙ୍କୁ ଚ୍ୟାଲେଞ୍ଜ କରାଯାଏ ଏବଂ ଗୁଳି ଚାଳନା କରାଯାଏ।

ସମ୍ବନ୍ଧିତ ଖବର