ରାଜ୍ୟମାନଙ୍କୁ ୫୧.୧୬ ‌କୋଟି ଡୋଜ୍‌ ଦିଆ‌ସରିଛି, ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୧୩୬ କୋଟି ଡୋଜ୍‌ ଉପଲବ୍ଧ ହେବ

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ୫୧.୧୬ କୋଟି କୋଭିଡ୍‌ ଟିକା ଡୋଜ୍‌ ଦିଆଯାଇଛି। ଜୁନ୍‌ ୨୧ରେ ଦେଶରେ ନୂଆ ଟିକା ନୀତି ଲାଗୁ ହେବା ପରଠାରୁ ଟିକାକରଣ ତ୍ବରାନ୍ବିତ ହୋଇଛି। ତେବେ କେନ୍ଦ୍ର ସରକାର କହିଛନ୍ତି ରାଜ୍ୟମାନଙ୍କୁ ଦିଆଯାଇଥିବା ୫୧.୧୬ କୋଟି ଟିକା ଡୋଜ୍‌ରୁ ୨.୩୦ କୋଟି ଡୋଜ୍‌ ଏବେ ବି ବ୍ୟବହାର ନହୋଇ ରହିଛି। ଆଗକୁ ଦେଶରେ ଟିକାର ଅଭାବ ରହିବନି। ଆଗାମୀ ୪ ମାସରେ ଦେଶରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ର ୧୩୬ କୋଟିରୁ ଅଧିକ ଡୋଜ୍‌ ଉପଲବ୍ଧ ହେବ ବୋଲି ସରକାର କହିଛନ୍ତି। ସେପ୍ଟେମ୍ବରରେ କୋଭାକ୍ସିନ୍‌ର ୩.୧୫ କୋଟି ଡୋଜ୍‌ ଏବଂ କୋଭିସିଲ୍ଡର ୨୩ କୋଟି ଡୋଜ୍‌ ଆସିବ। ଅର୍ଥାତ ଏହି ମାସ‌ରେ ଉଭୟ ଟିକାର ମୋଟ୍‌ ୨୬.୧୫ କୋଟି ଡୋଜ୍‌ ଉପଲବ୍ଧ ହେବ। ଅକ୍ଟୋବରରେ ମୋଟ ୨୮.୨୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ। ସେଥିରେ କୋଭାକ୍ସିନ ୫.୨୫ କୋଟି ଏବଂ କୋଭିସିଲ୍‌ଡ ୨୩ କୋଟି ରହିବ। ନଭେମ୍ବରରେ ବି ୨୮.୨୫ କୋଟି ଡୋଜ୍ ଟିକା ମିଳିବ। ସେଥିରେ ୫.୨୫ କୋଟି କୋଭାକ୍ସିନ ଏବଂ ୨୩ କୋଟି ଡୋଜ୍ କୋଭିସିଲ୍‌ଡ ଡୋଜ୍ ରହିବ। ଡିସେମ୍ବର‌ରେ କୋଭାକ୍ସିନ୍‌ ୫.୨୫ କୋଟି, କୋଭିସିଲ୍ଡ ୨୩ କୋଟି ଏବଂ ମୋଟ୍‌ ୨୮.୨୫ କୋଟି ଡୋଜ୍‌ ଉପଲବ୍ଧ ହେବ।

ଅଗଷ୍ଟରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ସରକାର କରିଥିବା ଆଡଭାନ୍ସ ଅର୍ଡର ଅନୁଯାୟୀ କୋଭିସିଲ୍ଡ ଟିକାର ୭୫ ପ୍ରତିଶତ ତଥା ୫୦ କୋଟି ଡୋଜ୍‌ କିଣାଯିବ। ପ୍ରତି ଡୋଜ୍‌ର ମୁଲ୍ୟ ୨୧୫.୨୫ ଟଙ୍କା ରହିବ। ତେଣୁ ମୋଟ୍‌ ୮୦୭୧.୮୭ କୋଟି ଟଙ୍କାରେ ଏହି ଡୋଜ୍‌ କିଣାଯିବ। ସରକାର ମଧ୍ୟ ୨୮.୫ କୋଟି ଡୋଜ୍‌ କୋଭାକ୍ସିନ୍‌ କିଣିବେ। ପ୍ରତି ଡୋଜ୍‌ର ମୂଲ୍ୟ ୨୨୫.୭୫ ଟଙ୍କା ସହ ମୋଟ୍‌ ୬,୪୩୩.୮୭ କୋଟି ଟଙ୍କାରେ ଏହି ଡୋଜ୍‌ କିଣାଯିବ। ଅନ୍ୟପକ୍ଷରେ ଦେଶରେ ଜୁଲାଇ ସୁଦ୍ଧା ସ୍ପୁଟନିକ ଭି ଟିକା ଉତ୍ପାଦନ ହୋଇନାହିଁ। ପାନାସିଆ ଦ୍ବାରା ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବରରେ ୨୫ ନିୟୁତ ଟନ ଡୋଜ୍ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି। ତା ପରେ ଏ ନେଇ କୌଣସି ସ୍ପଷ୍ଟତା ନାହିଁ।

ସମ୍ବନ୍ଧିତ ଖବର