ଜାପାନ ଜାହାଜରେ ୧୩୮ ଭାରତୀୟ, କୋଚିରେ ପହଞ୍ଚିଲେ ହୁୱେଇରେ ଫସିଥିବା ୧୫ କେରଳ ଛାତ୍ର

ନୂଆଦିଲ୍ଲୀ: ଭାରତ ସରକାର ୬୪୫ ଭାରତୀୟଙ୍କୁ ଚୀନ୍‌ରୁ ସଫଳ ଭାବେ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଏବେ ବି ଆହୁରି ଅନେକ ଭାରତୀୟ ନାଗରିକ ଚୀନ୍‌ରେ ଅଛନ୍ତି। ଚୀନ୍‌ରେ କିଛି ନାଗରିକ ଥିବାବେଳେ ଜାପାନ୍‌ରେ ଭାଇରସ୍‌ ଚିହ୍ନଟ ହୋଇଥିବା ଏକ ଜାହାଜରେ ୧୩୮ ଜଣ ଭାରତୀୟ ଅଛନ୍ତି। ଜାପାନ୍‌ର ‌ ୟୋକହମାରେ ଏକ ଜାହାଜ ଡାଇମଣ୍ଡ୍‌ ପ୍ରିନ୍ସେସ୍‌ରେ ଥିବା ୩,୭୦୦ ଯାତ୍ରୀଙ୍କୁ ପୃଥକ୍‌ ଭାବେ ରଖାଯାଇଛି। ଏମାନଙ୍କ ମଧ୍ୟରେ ୧୩୮ ଜଣ ଭାରତୀୟ ଅଛନ୍ତି। ଜାହାଜରେ ୬୧ ଜଣଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଥିରୁ ସେମାନଙ୍କୁ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ତେବେ କୌଣସି ଭାରତୀୟଙ୍କ ଶରୀରରେ ଭାଇରସ୍ ଚିହ୍ନଟ ହୋଇନାହିଁ। ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଭାରତୀୟମାନେ ସୁସ୍ଥ ଥିବା ଟ୍ବିଟ୍‌ କରିଛନ୍ତି।

କୋଚିରେ ପହଞ୍ଚିଲେ ହୁୱେଇରେ ଫସିଥିବା ୧୫ କେରଳ ଛାତ୍ର
କୋଚି: ଚୀନ୍‌ର ହୁୱେଇରେ ଫସିଥିବା ୧୫ ଜଣ କେରଳ ଛାତ୍ର ଆଜି କୋଚିରେ ପହଞ୍ଚିଛନ୍ତି। ଗତକାଲି ମଧ୍ୟରାତ୍ରିରେ ଏହି ୧୫ ଜଣ ଛାତ୍ର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ଭଲଭାବେ ଯାଞ୍ଚ କରାଯାଇଛି। ସେମାନଙ୍କ ଶରୀରରେ ଭାଇରସ୍‌ ନଥିବା ସ୍ପଷ୍ଟ ହେବାପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯାଇଛି। କିନ୍ତୁ ବିସ୍ତୃତ ଲ୍ୟାବ୍‌ ‌ଟେଷ୍ଟ ପାଇଁ ସେମାନଙ୍କ ନମୁନା ସଂଗ୍ରହ କରାଯାଇଛି। ସମସ୍ତ ୧୫ ଜଣଙ୍କ ସ୍ବାସ୍ଥ୍ୟ ଆଜି କଲମସେରି ସରକାରୀ ମେଡିକାଲ କଲେଜରେ ଭଲଭାବେ ଯାଞ୍ଚ କରାଯାଇଥିଲା। ଏହାପରେ ସମସ୍ତ ଛାତ୍ରଙ୍କୁ ୨୮ ଦିନ ପାଇଁ ନିଜ ନିଜ ଘରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରହିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର