ୱାସିଂଟନ: ଏଲନ ମସ୍କଙ୍କ ମହାକାଶ ଗବେଷଣା କମ୍ପାନି ସ୍ପେସ୍ଏକ୍ସ କୈରନ କ୍ବାଜି ନାମକ ଜଣେ ୧୪ ବର୍ଷର ବାଳକକୁ ସଫ୍ଟୱେର ଇଂଜିନିୟର ଭାବେ ନିଯୁକ୍ତି ଦେଇଛି। ଏହି ବାଳକ ଏକ କଲେଜରୁ ଇଂଜିନିୟରିଂରେ ସ୍ନାତକ ପାସ କରିଛନ୍ତି। ସାନ୍ତା କ୍ଲାରା ବିଶ୍ବବିଦ୍ୟାଳୟର ସ୍ନାତକ ୧୪ ବର୍ଷୀୟ କ୍ବାଜି ସ୍ପେସ୍ଏକ୍ସରେ ଜଣେ ସଫ୍ଟୱେର ଇଂଜିନିୟର ଭାବେ ନିଯୁକ୍ତି ପାଇବାକୁ ମନୋନୀତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏକ ଲିଙ୍କଡ୍ଇନ୍ ପୋଷ୍ଟରେ କ୍ବାଜି ତାଙ୍କ ନିଯୁକ୍ତି ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସ୍ପେସ୍ଏକ୍ସ ଏକ ବିରଳ କମ୍ପାନି ଯେ କି ବୟସ ବଦଳରେ ତାଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଗୁରୁତ୍ବ ଦେଇଛି। ସେ ଖୁବ୍ଶୀଘ୍ର ଷ୍ଟାର୍ଲିଙ୍କ ଇଂଜିନିୟରିଂ ଟିମ୍ରେ ଯୋଗ ଦେବାକୁ ଯାଉଛନ୍ତି।
କ୍ବାଜି ଜଣେ ବିଚକ୍ଷଣ ପ୍ରତିଭାବାନ ବାଳକ। ସେ ୨ ବର୍ଷ ବୟସରେ ପୂରା ବାକ୍ୟ କହିପାରୁଥିଲେ। କେଜିରେ ପଢ଼ିବା ବେଳେ ରେଡିଓରୁ ଶୁଣିଥିବା ଖବର ସାଙ୍ଗ ଓ ଶିକ୍ଷକମାନଙ୍କୁ କହୁଥିଲେ। ୯ ବର୍ଷ ବୟସରେ ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ପାଠ ତାଙ୍କୁ ଆଦୌ କଷ୍ଟ ଲାଗୁ ନ ଥିଲା। ତା’ପରେ ତାଙ୍କ ପିତାମାତା କାଲିଫର୍ଣ୍ଣିଆର ଏକ କମ୍ୟୁନିଟି କଲେଜରେ ତାଙ୍କର ନାଁ ଲେଖାଇଦେଲେ। ସେ ଏକ ଇଣ୍ଟେଲ ଲ୍ୟାବ୍ରେ ଇଣ୍ଟର୍ଣ୍ଣ ଭାବେ କାମ କଲେ ଯାହା ତାଙ୍କ ଜୀବନକୁ ବଦଳାଇଦେଲା ବୋଲି କ୍ବାଜି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସିଲିକନ ଭାଲିର ଅନେକ କମ୍ପାନି ବୟସକୁ ଦେଖି ତାଙ୍କୁ ନିଯୁକ୍ତି ଦେବାକୁ ମନା କରିଦେଇଥିବା ବେଳେ ଏଲନ ମସ୍କଙ୍କ ସ୍ପେସ୍ଏକ୍ସ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି। ଆମେରିକୀୟ ଉଦ୍ୟୋଗୀ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ମହାକାଶକୁ ଯାତ୍ରୀ ପ୍ରେରଣ ଦିଗରେ କାର୍ଯ୍ୟ କରୁଛି। ଏଥିସହିତ ଟେସଲା ଏବଂ ଟ୍ବିଟର ଭଳି କମ୍ପାନିର ପରିଚାଳନା ମଧ୍ୟ ସେ କରୁଛନ୍ତି।