ହସ୍ପିଟାଲ୍‌ରେ ନିଆଁ, ୧୪ କୋଭିଡ୍‌ ରୋଗୀ ମୃତ

ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ : ମହାରାଷ୍ଟ୍ର ପାଳଘର ଜିଲ୍ଲା ବିରାର୍‌ରେ ଶୁକ୍ରବାର ଦିନ ଏକ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୧୪ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଭୋର୍‌ ପ୍ରାୟ ୩ଟା ସମୟରେ ୪ ମହଲା ବିଶିଷ୍ଟ ବିଜୟ ବଲ୍ଲଭ ହସ୍ପିଟାଲ୍‌ର ଦ୍ବିତୀୟ ମହଲା ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ସମୟରେ ହସ୍ପିଟାଲ୍‌ରେ ୯୦ ରୋଗୀ ଥିଲେ। ‌ ଯୁଦ୍ଧକାଳୀନ ଭିତ୍ତି‌ରେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ମଧ୍ୟ ୧୪ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅଗ୍ନିକାଣ୍ଡ ପରେ ଆତ୍ମୀୟ ସ୍ବଜନଙ୍କୁ ହରାଇଥିବା ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ହସ୍ପିଟାଲ୍‌ ପରିସର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ମୃତାହତଙ୍କ ପରବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, ଅଗ୍ନିକାଣ୍ଡ ଘଟଣାରେ ସଠିକ୍‌ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଗତ ମାସରେ ମଧ୍ୟ ମୁମ୍ବାଇର ଏକ ମଲ୍‌ରେ ଅସ୍ଥା‌ୟୀ ଭାବେ ଚାଲିଥିବା କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିଯିବା ଫଳରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ସକାଳ ୮ଟା ସମୟରେ ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଥିଲା ଯେ ୨୪ ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ଅକ୍ସିଜେନ୍‌ ଆଉ ମାତ୍ର ୨ ଘଣ୍ଟା ପାଇଁ ବଳକା ରହିଛି। ଭେଣ୍ଟିଲେଟର ସଠିକ୍‌ ଭାବେ କାମ କରୁନି। ଆହୁରି ୬୦ ରୋଗୀ ଅତ୍ୟନ୍ତ ବିପଦରେ ଅଛନ୍ତି ଏବଂ ଏଥିପାଇଁ ଜରୁରୀ ହସ୍ତକ୍ଷେପ ଲୋଡ଼ା ବୋଲି ଗଙ୍ଗାରାମ୍‌ର ନିର୍ଦ୍ଦେଶକ ଏକ ବିବୃତି ଜାରି କରି କହିଥିଲେ। ରୋଗୀମାନଙ୍କୁ ଏୟାରଲିଫ୍ଟ କରିବାପାଇଁ ମଧ୍ୟ ହସ୍ପିଟାଲ୍‌ରେ ଜରୁରୀ ଭାବେ ଅକ୍ସିଜେନ୍‌ ଦରକାର ବୋଲି କୁହାଯାଇଛି। ମେଡିକାଲ୍‌ ନିର୍ଦ୍ଦେଶକ କହିଛନ୍ତି, ଅକ୍ସିଜେନ୍‌ ଅଭାବଜନିତ ସମସ୍ୟା ଯୋଗୁଁ ଗୁରୁତର କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ରୋଗୀଙ୍କୁ ହାଇ ପ୍ରେସର୍‌ ଏବଂ ସ୍ଥିର ଅକ୍ସିଜେନ୍‌ ଯୋଗାଣ ଆବଶ୍ୟକ। ଅନ୍ୟପକ୍ଷେ ହସ୍ପିଟାଲ୍ ଅଧ୍ୟକ୍ଷ କହିଛନ୍ତି, ପ୍ରଥମ ଥର ପାଇଁ ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ହୋଇଛି କିନ୍ତୁ ସମସ୍ତଙ୍କ ମୃତ୍ୟୁ ଅକ୍ସିଜେନ୍‌ ଅଭାବ ଯୋଗୁଁ ହୋଇଛି। ଅତି ସଙ୍କଟାପନ୍ନ ଅବସ୍ଥାରେ ଆସିଥିବା କିଛି ରୋଗୀଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର