ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ତାଜା ସୂଚନା ମୁତାବକ ୭ ଜଣ ସେନା କର୍ମଚାରୀଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୨୫ ଜଣ ଯବାନ ଏବେ ବି ମାଟି ତଳେ ଦବି ହୋଇରହିଛନ୍ତି | ବୁଧବାର ମଧ୍ୟରାତ୍ରିରେ ଏହି ଭୂସ୍ଖଳନ ଘଟିଥିଲା। ଜିରିବାମରୁ ଇମ୍ଫାଲ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଳ ଲାଇନର ସୁରକ୍ଷା ପାଇଁ ଟୁପୁଲ ରେଳ ଷ୍ଟେସନ ନିକଟରେ ନିୟୋଜିତ ଭାରତୀୟ ସେନାର ୧୦୭ ଟେରିଟୋରିଆଲ ଆର୍ମି କ୍ୟାମ୍ପ ପୂରା ଧ୍ବସ୍ତ ହୋଇଯାଇଛି।
ଡିଜିପି ପି ଡୋଙ୍ଗଲ କହିଛନ୍ତି ଯେ ୨୩ ଜଣଙ୍କୁ ବାହାର କରାଯାଇଥିବାବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେନା କର୍ମଚାରୀ, ରେଳ କର୍ମଚାରୀ, ଗ୍ରାମବାସୀ ଏବଂ ଶ୍ରମିକଙ୍କ ସମେତ ପ୍ରାୟ ୬୦ ଜଣ ଲୋକ ଫସିରହିଥିବାର ଆଶଙ୍କା କରାଯାଉଛନ୍ତି | ଗତକାଲି ୭ ଜଣ ସେନା କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୧୩ ଜଣ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ ବହୁ ସଂଖ୍ୟକ ଯବାନ ନିଖୋଜ ଅଛନ୍ତି। ତେବେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜିଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ରରୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ରାଜ୍ୟ ପୁଲିସ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ସହଯୋଗ କରୁଛନ୍ତି ବୋଲି ମଣିପୁର ଡିଜିପି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/aacccc.jpg)