କରୋନାଭାଇରସ୍ ସହ ଭାରତର ଲଢ଼େଇ: ଆରମ୍ଭ ହେଲା ୧୪ଘଣ୍ଟିଆ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: ରବିବାର ସକାଳ ୭ଟାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ଜନତା କର୍ଫ୍ୟୁ । ଆଜି ସକାଳ ୭ଟାରୁ ଆରମ୍ଭ କରି ରାତି ୯ଟାଯାଏଁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ଜାତି ଉଦ୍ଦେଶ୍ୟ ଦେଇଥିବା ବାର୍ତ୍ତାରେ ଘୋଷଣା କରିଥିଲେ । କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ଏହି କର୍ଫ୍ୟୁ ପାଳନ କରାଯାଉଛି । କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଏଯାବତ୍ ଭାରତରେ ୩୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଏହି ଇଚ୍ଛାଧୀନ କର୍ଫ୍ୟୁକୁ ରାତି ୯ଟାଯାଏଁ ପାଳନ କରାଯିବ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ନାଗରିକମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ୧୪ ଘଣ୍ଟାଯାଏଁ ନିଃସଙ୍ଗ ବାସରେ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସକାଳ ୭ଟାରେ କର୍ଫ୍ୟୁ ଆରମ୍ଭ ହେବାର କିଛିକ୍ଷଣ ପୂର୍ବରୁ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ: ଏବେଠୁ ଅଳ୍ପ ସମୟ ପରେ ଜନତା କର୍ଫ୍ୟୁ ଆରମ୍ଭ ହେବ । ଚାଲନ୍ତୁ ସଭିଏଁ ଏ କର୍ଫ୍ୟୁରେ ଯୋଗ ଦେବା । କୋଭିଡ୍-୧୯ ସଂକ୍ରମଣ ବିରୋଧରେ ଲଢ଼ିବା ନିମନ୍ତେ ଏହା ପ୍ରବଳ ଶକ୍ତି ଯୋଗାଇବ । ଏବେ ଆମେ ଗ୍ରହଣ କରିଥିବା ପଦକ୍ଷେପ ଆଗୁଆ ଦିନମାନଙ୍କରେ ସହାୟକ ହେବ । ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ସମ୍ବନ୍ଧିତ ଖବର