ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱା ଓ ଶାହଡୋଲ ଜିଲ୍ଲାରେ ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଘଟଣାରେ ଅନ୍ୟୂନ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଖଣ୍ଡଵାର ପନ୍ଧାନା ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ଏକ ପୋଖରୀ ଭିତରେ ଖସିପଡ଼ିବାରୁ ୧୧ ଜଣ ଗ୍ରାମବାସୀ ବୁଡ଼ି ଯାଇଥିଲେ। ଅନ୍ୟ ଏକ ଘଟଣାରେ, ସେହି ଖଣ୍ଡୱାର ଅଞ୍ଜନଗାଓଁ ଗ୍ରାମରେ ଏକ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଉପରେ ଏକ ନିୟନ୍ତ୍ରଣହୀନ ଡିଜେ ଗାଡ଼ି ଚଢ଼ିଯିବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ପ୍ରାୟ ୮୦୦ କିଲୋମିଟର ଦୂର ଶାହଡୋଲ ଜିଲ୍ଲାର ଗୋହପାରୁରେ ସୋନ ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ଜଣେ ୧୬ ବର୍ଷୀୟ ବାଳକ ଓ ଜଣେ ୨୨ ବର୍ଷୀୟ ଯୁବକ ଭାସି ଯାଇଥିଲେ।
ପନ୍ଧାନା ଥାନା ଅଞ୍ଚଳର ଜାମଲି ଗ୍ରାମରେ ଅପରାହ୍ଣ ପ୍ରାୟ ୫ଟା ସମୟରେ ରାଜଗଡ଼ ଗ୍ରାମର ୨୦-୨୫ ଗ୍ରାମବାସୀ ବିସର୍ଜନ ପାଇଁ ଦୁର୍ଗାମୂର୍ତ୍ତି ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ରାଜ୍ୟ ଜଳସମ୍ପଦ ବିଭାଗର ଏକ ଛୋଟ ଡ୍ୟାମ୍ରେ ଓଲଟି ପଡ଼ିବାରୁ ସମସ୍ତେ ବୁଡ଼ିଯାଇଥିଲେ। ଇନ୍ଦୋର ଗ୍ରାମୀଣ ପୁଲିସ ଇନ୍ସପେକ୍ଟର ଜେନେରାଲ ଅନୁରାଗ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୧ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏସ୍ଡିଇଆର୍ଏଫ୍ ଉଦ୍ଧାରକାରୀ ଦଳ ପୋଖରୀରେ ଖୋଜାଖୋଜି ଜାରି ରଖିଛନ୍ତି। ତିନି ଜଣ ବଞ୍ଚିଥିବା ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସୂତ୍ରରୁ ପ୍ରକାଶ। ପୀଡିତମାନେ ନଅରୁ ୨୫ ବର୍ଷ ବୟସର ଥିଲେ, ଯେଉଁଥିରେ ୧୫-୨୫ ବର୍ଷ ବୟସର ଛଅ ଜଣ ମହିଳା ଏବଂ ସବୁଠାରୁ ସାନ ନଅ ବର୍ଷର ବାଳକ ଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଜ୍ଜୟିନୀ ଜିଲ୍ଲାରେ ଜଣେ ୧୨ ବର୍ଷର ବାଳକ ସମେତ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଚମ୍ବଲ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚାରି ଜଣ ଲୋକ ଗାଧୋଉଥିବା ବେଳେ ବାଳକଟି ହଠାତ୍ ବ୍ରିଜ୍ ଉପରେ ଏକ ଟ୍ରାକ୍ଟର ଚଳାଇବା ଆରମ୍ଭ କରିଥିଲା, ଯାହା ନଦୀରେ ଖସିପଡିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।