ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌ ରାଜପଥରେ ଭ୍ୟାନ୍‌-ଲରି ଧକ୍କା; ୧୪ ମୃତ, ୪ ଆହତ

ତିରୁପତି: ରବିବାର ପାହାନ୍ତାରେ କୁର୍ଣ୍ଣୂଲ୍‌ ଜିଲ୍ଲାର ବେଲଡୁରତି ମଣ୍ଡଳ ଅନ୍ତର୍ଗତ ମାଦରପୁରମ୍‌ ଗ୍ରାମ ପାଖ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଭ୍ୟାନ୍‌ ଓ ଗୋଟିଏ ଲରି ପରସ୍ପର ସହ ଧକ୍କା ଖାଇବାରୁ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ପୁଲିସ କହିବା ଅନୁସାରେ, ଚିତ୍ତୂର ଜିଲ୍ଲାର ମାଣ୍ଡାନାପାଲ୍ଲେ ଅଞ୍ଚଳରୁ ଦଳେ ତୀର୍ଥଯାତ୍ରୀ ରାଜସ୍ଥାନର ଆଜ୍‌ମେର୍‌ ଅଭିମୁଖେ ଯାଉଥିଲେ।
ଉକ୍ତ ତୀର୍ଥଯାତ୍ରୀମାନେ ଯାଉଥିବା ମିନି ଭ୍ୟାନ୍‌ଟି ପାହାନ୍ତା ୩ଟାରୁ ୩.୩୦ ମଧ୍ୟରେ ହଠାତ୍‌ ଦିଗ ପରିବର୍ତ୍ତନ କରି ରାଜପଥ ଅପରପାଶ୍ୱରେ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା।

Image Courtesy of The Times of India

ଫଳରେ ଘଟଣାସ୍ଥଳରେ ୮ଜଣ ମହିଳା, ୫ଜଣ ପୁରୁଷ ଓ ଜଣେ ପିଲାଙ୍କ ସମେତ ୧୪ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଦୁଇଜଣ ପିଲାଙ୍କ ସମେତ ଅନ୍ୟ ୪ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ କୁର୍ଣ୍ଣୂଲ୍‌‌ର ଗଭର୍ଣ୍ଣମେଣ୍ଟ୍‌ ଜେନେରାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ସେଠାକାର ଡାକ୍ତରଙ୍କ କହିବା ଅନୁସାରେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍‌ ସଙ୍କଟାପନ୍ନ ହୋଇପଡ଼ିଛି।

ମୃତଯାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ମିନିଭ୍ୟାନ୍‌ରେ ଚାପିହୋଇ ରହିଯାଇଛନ୍ତି। ପୁଲିସ ଜେସିବି ସହାୟତାରେ ମିନିଭ୍ୟାନ୍‌ଟିକୁ ରାସ୍ତାର ଉଠାଇଥିଲା। ପୁଲିସ କହିବା ଅନୁସାରେ, ଡ୍ରାଇଭର୍‌ ଢୋଳାଇ ପଡ଼ିବା ଯୋଗୁଁ ବା ଟାୟାର୍‌ ଫାଟିଯିବା କାରଣରୁ ମିନିଭ୍ୟାନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର