୧୪ ବାଂଲାଦେଶୀ କଠୋରପନ୍ଥୀଙ୍କୁ ମୃତ୍ୟୁଦଣ୍ଡାଦେଶ, ସର୍ବସାଧାରଣ ସ୍ଥାନରେ ଛିଡ଼ା କରି ଗୁଳି କରାଯିବ

ଶେଖ୍ ହସିନାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେକ ହସିନାଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ବାଂଲାଦେଶର ଏକ କୋର୍ଟ ୧୪ ଜଣ ଇସ୍ଲାମୀୟ କଠୋରପନ୍ଥୀଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛନ୍ତି । ୨୦୦୦ ମସିହାରେ ହସିନାଙ୍କୁ ତାଙ୍କ ଦକ୍ଷିଣ-ପଶ୍ଚିମ ନିର୍ବାଚନମଣ୍ଡଳୀରେ ଏହି କଠୋରପନ୍ଥୀମାନେ ହତ୍ୟା ଉଦ୍ୟମ କରିଥିଲେ ।

ଢାକାର ତ୍ବରିତ ବିଚାର ଟ୍ରିବୁନାଲ-୧ର ବିଚାରପତି  ଅବୁ ଜାଫର ମହମ୍ମଦ କମରୁଜମାଲ ଏହି ଦଣ୍ଡବିଧାନ ଶୁଣାଇଛନ୍ତି । ଏହି ରାୟ ଘୋଷଣା ବେଳେ କୋର୍ଟରେ ଉକ୍ତ ୧୪ ଜଣଙ୍କ ମଧ୍ୟରୁ ୯ ଜଣ ଉପସ୍ଥିତ ଥିଲେ । ଅବଶିଷ୍ଟ ୫ ଜଣ ଏବେ ବି ଫେରାର ଅଛନ୍ତି । ସେମାନେ ଗିରଫ ହେଲେ କିମ୍ବା ଆତ୍ମସମର୍ପଣ କଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ଏହି ସମସ୍ତ କଠୋରପନ୍ଥୀମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ହରକତୁଲ ଜିହାଦ ବାଂଲାଦେଶର ସଦସ୍ୟ ବୋଲି ଜଣାପଡ଼ିଛି ।

ଏକ ଉଦାହରଣ ସୃଷ୍ଟି କରିବାକୁ ଏହି ଦୋଷୀମାନଙ୍କୁ ଗୁଳିକରି ହତ୍ୟା କରାଯିବ । ତେବେ ଯଦି ଏଥିପାଇଁ ବଂଲାଦେଶର ଆଇନରେ କୌଣସି ପ୍ରତିବନ୍ଧକ ଦେଖା ଦିଏ ତେବେ ସେମାନଙ୍କୁ ପ୍ରଚଳିତ ପଦ୍ଧତି ଅନୁସାରେ ଫାଶୀ ଦିଆଯିବ । ଏହି ରାୟ ବିରୋଧରେ ଦୋଷୀମାନେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ।

ଜୁଲାଇ ୨୧, ୨୦୦୦ରେ ଗୋପାଲଗଞ୍ଜର କୋଟାଲିପାରା ଅଞ୍ଚଳରେ ହସିନା ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବାର ଥିଲା । ଉକ୍ତ ସଭାରେ ହିଁ ଏହି ଆତଙ୍କବାଦୀମାନେ ୭୬ କିଲୋଗ୍ରାମ ଓଜନର ବିସ୍ଫୋରକ ଖଞ୍ଜିଥିଲେ ।

ସମ୍ବନ୍ଧିତ ଖବର