କଶ୍ମୀର ଘାଟି : ଜାନୁଆରି ୧ରୁ ଏପର୍ଯ୍ୟନ୍ତ ନିପାତ ହେଲେଣି ୧୪ ଆତଙ୍କବାଦୀ

ଶ୍ରୀନଗର : ନୂଆବର୍ଷ ଭାରତୀୟ ସୁରକ୍ଷାବଳ ପାଇଁ ସଫଳତା ଆଣିଦେଇଛି । ଜାନୁଆରି ୧ରୁ ଏପର୍ଯ୍ୟନ୍ତ ମୋଟ ୧୪ ଜଣ ଆତଙ୍କବାଦୀ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନୀ ବୋଲି ଜମ୍ମୁ ଓ କଶ୍ମୀରର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ।

ଆଜି କୁଲଗାମଠାରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ବାବର ଭାଇର ଏନକାଉଣ୍ଟର ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜୟ କୁମାର ଏକଥା କହିଛନ୍ତି । ସେ କହିଛନ୍ତି ଯେ ବାବରକୁ ଆଶ୍ରୟ ଦେଇଥିବା ପରିବାର ସୁରକ୍ଷା ବାହିନୀକୁ ବିଭ୍ରାନ୍ତକର ସୂଚନା ଦେବାରୁ ଏନକାଉଣ୍ଟରରେ ଜଣେ ପୁଲିସ କର୍ମୀ ସହିଦ ହେବା ସହ ଆଉ କେତେକ ପୁଲିସ କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । ସୁରକ୍ଷା ବଳକୁ ବିଭ୍ରାନ୍ତ କରିଥିବା ଲୋକମାନଙ୍କ ବିରୋଧରେ ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

କୁଲଗାମର ପେରିଓ୍ବାଲ ଅଞ୍ଚଳର ଗୋଟିଏ ଘରେ କେତେକ ଆତଙ୍କବାଦୀ ଲୁଚିଥିବା ବୁଧବାର ସଂଧ୍ୟାରେ ସୂଚନା ମିଳିବା ପରେ ସେନା ଓ ସ୍ଥାନୀୟ ପୁଲିସର ଏକ ମିଳିତ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲା । ସୁରକ୍ଷା ବଳ ପକ୍ଷରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା । ଉକ୍ତ ଘରେ ଫସି ରହିଥିବା ସାଧାରଣ ଲୋକଙ୍କୁ ଉଦ୍ଧାର କରିବାବେଳେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ କର୍ମୀ ସର୍ଜେଣ୍ଟ ରୋହିତ ଚିବ୍ ସହିଦ ହେବା ସହ ଆଉ କେତେକ ପୁଲିସ କର୍ମୀ ଓ ସାଧାରଣ ଲୋକ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର