ମୋଦୀଙ୍କ ଅପେକ୍ଷାରେ ୧୪ ହଜାର କୋଟିର ପ୍ରକଳ୍ପ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି, ୫ ବିଭାଗର ପ୍ରକଳ୍ପ ସାମିଲ

ନୂଆଦିଲ୍ଲୀ/ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉଭୟ ସରକାରୀ ଓ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ୍ ହେବେ। ସରକାରୀ କାର୍ଯ୍ୟକ୍ରମରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ସେ ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ। ଭୁବନେଶ୍ବର ଆଇଆଇଟି ପରିସରରେ ହେବାକୁ ଥିବା ସଭାରେ ସବୁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରାଯିବ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ୍‌ରେ ଓଡ଼ିଶା ରହିଛି। ସାଢ଼େ ଚାରି ବର୍ଷ ଶାସନରେ ବହୁ କେନ୍ଦ୍ରୀୟ ପ୍ରକଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି। ଆସନ୍ତା ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ବର ଆଇଆଇଟି ପୂର୍ଣ୍ଣାଙ୍ଗ କ୍ୟାମ୍ପସ୍‌କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥି ସହ ବ୍ରହ୍ମପୁରରେ ବିଶ୍ବସ୍ତରୀୟ ଆଇଜର୍‌ର ଶିଳାନ୍ୟାସ କରିବେ। ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଊର୍ଜ୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପ୍‌ଲାଇନ୍ କାମର ଶୁଭାରମ୍ଭ ହେବ। ଏହା ସହ ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ବରରେ ଥିବା ଇଏସ୍‌ଆଇ ହସ୍ପିଟାଲ୍‌କୁ ୧୦୦ ଶଯ୍ୟା‌ ବିଶିଷ୍ଟ କରାଯିବା ସହ ପୁରୁଣା ଜାତୀୟ ରାଜପଥ-୫(ବର୍ତ୍ତମାନର ଜାତୀୟ ରାଜପଥ-୧୬)ର ୬ ଲେନ୍ ଓ କଟକ-ଅନୁଗୁଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତା ୨୪ ତାରିଖ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ମୂହୁର୍ତ୍ତ ହେବାକୁ ଯାଉଛି। ୨୦୧୭ ଜୁଲାଇ ୨୦ ତାରିଖରେ ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହାତରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକଟ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେ‌ଷଣା ଚେୟାରର ଶୁଭାରମ୍ଭ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଥି ପାଇଁ ୫ କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଯୋଗାଇ ଦିଆଯିବ। ଆଗାମୀ ପିଢ଼ି ପାଇଁ ୨୦୦ ବର୍ଷ ଇତିହାସର ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଲଳିତଗିରି ପରି ପ୍ରାଚୀନ କୀର୍ତ୍ତିରାଜିକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି କାମ ଓଡ଼ିଶାର ପର୍ଯ୍ୟଟନ, ମର୍ଯ୍ୟାଦା, ସ୍ବାଭିମାନ ଓ ଅର୍ଥନୀତିରେ ନୂଆ ପରିଚୟ ସୃଷ୍ଟି ହେବ। ସେଥି ପାଇଁ ଶ୍ରୀ ପ୍ରଧାନ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଦାବି ଦୋହରାଇଲେ ମହେଶ ଶର୍ମା

ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ବରୁଣେଇଠାରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକ ପାଇଁ ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ୫୦ ଏକର ଜାଗା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଦିଆଯାଇଥିଲା। ଆଉ ଥରେ ଚିଠି ଦିଆଯାଇ ମନେ ପକାଇଦିଆଯାଇଥିଲା। କେନ୍ଦ୍ର ସରକାର ପ୍ରକଳ୍ପ ପାଇଁ ୧୦୦ କୋଟି ଖର୍ଚ୍ଚ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଜାଗା ଦେଉ ନାହାନ୍ତି। ଜାଗା ମିଳିଥିଲେ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟ‌େର ପ୍ରକଳ୍ପର ଶିଳାନ୍ୟାସ କରିଥା’ନ୍ତେ। ରାଜ‌େନୖତିକ କାରଣ ପାଇଁ ରାଜ୍ୟ ସରକାର ଜାଗା ଦେଉ ନାହାନ୍ତି ବୋଲି କି ପ୍ରଶ୍ନ‌େର ଶ୍ରୀ ଶର୍ମା କହିଲେ, ମୁଁ ଭାବୁ ନାହିଁ ଏହି ପ୍ରସଙ୍ଗରେ ରାଜନୀତି କରାଯାଉଥିବ। ଏମିତି ପ୍ରସଙ୍ଗରେ ରାଜନୀତି ବି ଖୋଜାଯିବା ଉଚିତ ନୁହେଁ। କିନ୍ତୁ ରାଜ୍ୟ ସରକାର କେଉଁ କାରଣ ପାଇଁ ଜାଗା ଦେଉନାହାନ୍ତି, ତାହା ମୁଁ ଜାଣି ନାହିଁ।

ସମ୍ବନ୍ଧିତ ଖବର