ଅହମଦାବାଦ: ସୁରଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବାଳକ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବାକୁ ଡୁମାସ ବେଳାଭୂମିକୁ ଯାଇଥିଲେ। ତେବେ ମୂର୍ତ୍ତି ବିସର୍ଜନ ଦେଖୁଦେଖୁ ସେ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ସମୁଦ୍ର ଭିତରେ ୩୬ଘଣ୍ଟା ରହିବା ପରେ ମତ୍ସ୍ୟଜୀବୀମାନେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ।
ସୂଚନାଯୋଗ୍ୟ, ପଞ୍ଚମ ଶ୍ରେଣୀର ଛାତ୍ର ଲଖନ ତାଙ୍କର ଜେଜେମା’, ଭାଇ କରଣ ଓ ଭଉଣୀ ଅଞ୍ଜଳିଙ୍କ ସହିତ ଡୁମାସ ବେଳାଭୂମିକୁ ଗଶେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ ଲଖନ ଅଜାଣତରେ ଗଭୀର ଜଳକୁ ଚାଲିଯାଇଥିଲେ। ଏହାପରେ ସମୁଦ୍ର ଲହଡ଼ି ତାଙ୍କୁ ଭିତରକୁ ଟାଣି ନେଇ ଚାଲି ଯାଇଥିଲା।
ଗଭୀର ସମୁଦ୍ର ଭିତରେ ଲଖନ ଜୀବନ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଥିବା ବେଳେ ହଠାତ ସେ ଏକ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଉକ୍ତ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ଘଣ୍ଟା କାଳ ସମୁଦ୍ର ଭିତରେ ପହଁରି ପହଁରି ଜୀବନ ମରଣ ସହ ସଂଘର୍ଷ କରୁଥିଲେ।
ଏତିକି ବେଳେ ମତ୍ସ୍ୟଜୀବୀ ଡଙ୍ଗା ‘ନବଦୁର୍ଗା’ ସେହି ବାଟେ ଯିବା ସମୟରେ ଲଖନ ପାଟି କରିବା ସହ ହାତ ହଲାଇ ଡାକିଥିଲେ। ମତ୍ସ୍ୟଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚି ଲଖନଙ୍କୁ ଡଙ୍ଗାରେ ବସାଇ ନାଭସାରୀର ଧୋଆଲି ବନ୍ଦରକୁ ଆଣିଥିଲେ। ଆଉ ଏହି ଘଟଣା ବିଷୟରେ ତାଙ୍କ ପରିବାରଲୋକଙ୍କ ସମେତ ପୁଲିସକୁ ଖବର ଦେଇଥିଲେ। ଆଉ ଚିକିତ୍ସା ପାଇଁ ଲଖନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।