କେରଳରେ ଚିହ୍ନଟ ହେଲେ ୧୪ ଜିକା ଭୁତାଣୁ ଆକ୍ରାନ୍ତ, ବିଶେଷଜ୍ଞ ଦଳ ପଠାଇଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ତିରୁଅନନ୍ତପୁରମ୍ : କେରଳରେ ଏବେ ବି କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିନଥିବାବଳେ ଆଉ ଏକ ବିପଦ ଦେଖାଗଲାଣି । ରାଜ୍ୟରେ ଜିକା ଭୁତାଣୁର ୧୪ଟି ମାମଲା ଚିହ୍ନଟ ହୋଇଛି । ସ୍ଥିତିର ଗୁରୁତ୍ବକୁ ଦେଖି କେନ୍ଦ୍ର ସରକାର ଏକ ଛଅ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ କେରଳ ପଠାଇଛନ୍ତି ।

ଗତ କାଲି କେରଳରେ ପ୍ରଥମ ଜିକା ଭୁତାଣୁ ସଂକ୍ରମଣ ଚିହ୍ନଟ ହୋଇଥିଲା । ଜଣେ ୨୪ ବର୍ଷୀୟା ଗର୍ଭବତୀ ମହିଳା ଏହି ଭୁତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହା ପରେ କେରଳ ସରକାର ପୁଣେ ଠାରେ ଥିବା ଜାତୀୟ ଭୁତାଣୁବିଜ୍ଞାନ ସଂସ୍ଥାନ (ଏନଆଇଭି)କୁ ଆଉ ୧୪ଟି ନମୁନା ପରୀକ୍ଷଣ ପାଇଁ ପଠାଇଥିଲେ । ସେଥିରୁ ୧୩ଟି ନମୁନା ଜିକା ଭୁତାଣୁ ପଜିଟିଭ ଥିବା ଏନଆଇଭି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସ୍ଥିତିର ଗୁରୁତ୍ବକୁ ଉପଲବ୍ଧି କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଛଅ ଜଣିଆ ବିଶେଷଜ୍ଞ ଓ ଡାକ୍ତରୀ ଦଳ କେରଳକୁ ପଠାଯାଇଛି । ଏହି ଦଳରେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ, ଭୁତାଣୁ ବିଶେଷଜ୍ଞ, ଏମ୍ସର ବିଶେଷଜ୍ଞ ଡାକ୍ତର ଆଦି ରହିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜିକା ଭୁତାଣୁ ମଶାଙ୍କ ଦ୍ବାରା ବ୍ୟାପିଥାଏ । ଏହି ଭୁତାଣୁ ସଂକ୍ରମିତ ବ୍ୟକ୍ତି ଜ୍ବରରେ ପଡ଼ିବା ସହ ଶରୀର କୁଣ୍ଡେଇ ହୋଇ ଲାଲ ପଡ଼ିଯିବା, ଆଣ୍ଠୁଗଣ୍ଠି ଦରଜ ହେବା ଆଦି ଲକ୍ଷଣ ଦେଖାଯାଥାଏ ।

 

ସମ୍ବନ୍ଧିତ ଖବର