ତୁର୍କୀ ଉପରେ ବିପଦର ପାହାଡ଼ : ପୁଣି ଆସିଲା ବଡ଼ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୪୦୦ ଟପିଲା

ଇସ୍ତାନବୁଲ : ତୁର୍କୀ ଉପରେ ପଡ଼ିଥିବା ବିପଦ ଟଳିନାହିଁ । ସୋମବାର ଭୋରରୁ ହୋଇଥିବା ବିନାଶକାରୀ ଭୂମିକମ୍ପ ପରେ ସୋମବାରଦିନ ଆଉ ଏକ ବଡ଼ ଭୂମିକମ୍ପ ଆସିଛି । ଏହି  ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ବୋଲି ଜଣାପଡ଼ିଛି । ଅପରାହ୍ଣ ସାଢେ ଗୋଟାଏରେ ଏହି  ଭୂମିକମ୍ପ ଦକ୍ଷିଣ ତୁର୍କୀର ଆଲବିଷ୍ଟାନ ଜିଲ୍ଲାରେ ଆସିଥିଲା । ଏହି ଭୂମିକମ୍ପ ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏହା ସହିତ ଉଦ୍ଧାରକାର୍ଯ୍ୟ ବି ପ୍ରଭାବିତ ହୋଇଛି ।

ଅନ୍ୟପକ୍ଷରେ ସୋମବାର ଭୋର ସମୟରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୪୦୦ ଟପିଯାଇଛି । ଉଭୟ ତୁର୍କୀ ଓ ସିରିଆରେ ଏସବୁ ମୃତ୍ୟୁ ହୋଇଛି । ତେବେ ଏବେ ବି ଅନେକ ଲୋକ ଧ୍ବଂସସ୍ତୁପ ତଳେ ଫସି ରହିଥିବାରୁ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି । ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ । ଫଳରେ ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି ।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ତାହା ସାଇପ୍ରସ ଓ ଇଜିପ୍ଟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ସିରିଆର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟରର ମୁଖ୍ୟ ରୟାଦ ଅହମ୍ମଦ ସରକାର ସମର୍ଥକ ରେଡିଓକୁ କହିଛନ୍ତି ଯେ ଏହା ଦେଶର ଇତିହାସରେ ସବୁଠାରୁ ବଡ ଭୂମିକମ୍ପ । ତୁର୍କୀ ଓ ସିରିଆରେ ପ୍ରବଳ ଥଣ୍ଡା ଓ ବରଫ ଝଡ଼ ଯୋଗୁଁ ବି ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ତୁର୍କୀରେ ଉଦ୍ଧାର କାମ ପାଇଁ ଭାରତ ସହାୟତା ପଠାଇବାକୁ ଘୋଷଣା କରିଛି ।

 

 

ସମ୍ବନ୍ଧିତ ଖବର