କତନମତିଟ୍ଟା: କେରଳ ପତନମତିଟ୍ଟା-ସ୍ଥିତ ସ୍ଥାନୀୟ କୋର୍ଟ ଜଣେ ୧୦ ବର୍ଷର ବାଳିକାକୁ ଦୁଷ୍କର୍ମ କରିଥିବା ଦୋଷୀକୁ ୧୪୨ ବର୍ଷର ସଶ୍ରମ କାରାଦଣ୍ଡ ଓ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଜଣେ ୪୧ ବର୍ଷୀୟ ପ୍ରୌଢ଼ ୧୦ ବର୍ଷୀୟା ବାଳିକା ସହ ୨୦୧୯ରୁ ୨୦୨୧ ଭିତରେ ଦୁଇବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ପୁଲିସ ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ଯେ ପତନମତିଟ୍ଟା ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ଜୟକୁମାର ଜନ ଅଭିଯୁକ୍ତ ଆନନ୍ଦନ ପିଆର୍‌କୁ ୧୪୨ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି। ଏଥି ସହ ୫ ଲକ୍ଷ ଟଙ୍କାର ଜରିମାନା ବି ଲଗାଇଛନ୍ତି। କୌଣସି ପୋକ୍‌ସୋ ମାମଲାରେ ଆଜି ଯାଏ ଦିଆଯାଇଥିବା ଏହା ସର୍ବାଧିକ ଜେଲଦଣ୍ଡ ବୋଲି କୁହାଯାଉଛି। ତେବେ ଦୋଷୀକୁ ମୋଟ ୬୦ ବର୍ଷ ଜେଲରେ ରହିବାକୁ ପଡ଼ିବ। ଖବର ଅନୁସାରେ ଦୋଷୀ ହେଉଛି ପୀଡ଼ିତାର ଜଣେ ସମ୍ପର୍କୀୟ। ତାକୁ ପୋକ୍‌ସୋ ଅଧିନିୟମ ଓ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଛି।