ଗୁରୁବାର ମୁମ୍ବାଇରେ ପହଞ୍ଚିବେ କ୍ରୁଜ ଜାହାଜରେ ଫସି ରହିଥିବା ୧୪୬ଜଣ ଭାରତୀୟ କ୍ର୍ୟୁ ସଦସ୍ୟ

ମୁମ୍ବାଇ: କରୋନାଭାଇରସ୍ ମହାମାରୀ ହେତୁ ଏକ କ୍ରୁଜ ଜାହାଜରେ ଫସି ରହିଥିବା ୧୪୬ଜଣ ଭାରତୀୟ କ୍ର୍ୟୁ ସଦସ୍ୟ ଆସନ୍ତାକାଲି (ଗୁରୁବାର) ମୁମ୍ବାଇରେ ପହଞ୍ଚିବେ ବୋଲି ସୂଚନା ମିଳିଛି | ଜାହାଜ ଥାଇଲାଣ୍ଡରୁ ବାହାରିବାର ଏକ ମାସ ପରେ ଆସନ୍ତାକାଲି ମୁମ୍ବାଇରେ ପହଂଚିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ କୁହାଯାଇଛି। ଜାହାଜ ମାରେଲା ଡିସ୍କଭରି ଏପ୍ରିଲ ୧୪ରେ ମୁମ୍ବାଇ ଉପକୂଳରେ ପହଞ୍ଚିଥିଲା। କୌଣସି କ୍ର୍ୟୁ ସଦସ୍ୟ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇ ନଥିଲେ ମଧ୍ୟ ସେମାନଙ୍କୁ ବନ୍ଦର ଭିତରକୁ ପ୍ରବେଶ କରାଇ ଦିଆଯାଇ ନଥିଲା ବୋଲି ସିଏମଓ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

“ଜାହାଜଟି ଏପ୍ରିଲ ୨ରୁ ୬ମଧ୍ୟରେ କୋଚି, ନ୍ୟୁ ମାଙ୍ଗାଲୋର, ଗୋଆ ଏବଂ ମୁମ୍ବାଇ ଯାତ୍ରା କରିବାକୁ ଥିଲା। ମହାମାରୀ ଆରମ୍ଭ ହେବା ପରେ ମାର୍ଚ୍ଚ ୧୪ରେ ଥାଇଲାଣ୍ଡରୁ ସମସ୍ତ ଯାତ୍ରୀଙ୍କୁ ନେଇ କ୍ରୁଜ ଜାହାଜଟି ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ କୋଚିରେ ପହଞ୍ଚିବା ପରେ କ୍ର୍ୟୁ କର୍ମଚାରୀମାନଙ୍କୁ ସେଠାରେ ଓହ୍ଲାଇବାକୁ ଅନୁମତି ଦିଆଯାଇ ନଥିଲା। ଯାହା ପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରି ଏପ୍ରିଲ ୧୪ରେ ମୁମ୍ବାଇରେ ପହଞ୍ଚିଥିଲା ଜାହାଜ ମାରେଲା ଡିସ୍କଭରି।

ସୂଚନା ମୁତାବକ, ୩୭ଦିନ ପୂର୍ବରୁ ଥାଇଲାଣ୍ଡ ଛାଡିବା ସହ କୌଣସି କର୍ମଚାରୀ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ନଥିଲେ ମଧ୍ୟ ଜାହାଜକୁ ମୁମ୍ବାଇ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ମିଳୁ ନଥିଲା | କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ସହ ଆଲୋଚନା କରିବା ପରେ ପରିବହନ ମନ୍ତ୍ରାଳୟ ଏହି କ୍ରୁଜକୁ ମୁମ୍ବାଇ ବନ୍ଦରକୁ ଆସିବାକୁ ଅନୁମତି ଦେଇଛି। ଆସନ୍ତାକାଲି ଏହି ୧୪୬ଜଣ କ୍ର୍ୟୁ ସଦସ୍ୟ ମୁମ୍ବାଇରେ ଓହ୍ଲାଇବେ। ସେମାନଙ୍କର ଡାକ୍ତରୀ ଚେକଅପ୍ କରାଯିବ ସହ ସେମାନଙ୍କୁ ପୃଥକବାସରେ ରଖିବା ପାଇଁ ଏକ ପୃଥକ କୋଠା ପ୍ରସ୍ତୁତ କରାଯାଇଛି । ଏହି କର୍ମଚାରୀମାନଙ୍କୁ ସେମାନଙ୍କର ୨୮ଦିନର ଯାତ୍ରା ଇତିହାସର ବିବରଣୀ ପ୍ରଦାନ କରିବାକୁ ପଡିବ, କୋଭିଡ-୧୯ ପରୀକ୍ଷା କରିବାକୁ ପଡିବ ଏବଂ ଯଦି ଆବଶ୍ୟକତା ପଡେ ତେବେ ସେମାନଙ୍କୁ କ୍ୱାରେଣ୍ଟାଇନ୍ କରିବାକୁ ପଡିବ। ସେମାନଙ୍କୁ ଘର ପର୍ଯ୍ୟନ୍ତ ଯିବା ପାଇଁ ଟ୍ରାଞ୍ଜିଟ୍ ପାସ୍ ଏବଂ ଯାନ ଯୋଗାଇ ଦିଆଯିବ। ସମସ୍ତ ଯାତ୍ରୀଙ୍କୁ ଛାଡିବା ପରେ କ୍ରୁଜ୍ ଜାହାଜ ମୁମ୍ବାଇରୁ ନରୱେ ଅଭିମୁଖେ ଯାତ୍ରା କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଏହା ସହ ବାଣିଜ୍ୟିକ ଏବଂ ବୃତ୍ତିଗତ ଜାହାଜର କର୍ମଚାରୀମାନଙ୍କୁ ଭାରତୀୟ ବନ୍ଦରରେ ଓହ୍ଲାଇବାକୁ  ଏବଂ ବାହାରକୁ ଯିବାକୁ ସକ୍ଷମ କରିବାକୁ ଗୃହ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମୁଦ୍ରରେ ଫସି ରହିଥିବା ୩୫,୦୦୦ ରୁ ୪୦,୦୦୦ଭାରତୀୟ ନାବିକ ଏବଂ କର୍ମଚାରୀଙ୍କୁ ସାହାଯ୍ୟ କରିବ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର