ପୁନେ: ଗତ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ଭିତରେ ଭାରତରେ ୧୪୬ଟି ବାଘଙ୍କ ମୃତ୍ୟୁ ହୋଇଛି, ଯାହା ୨୦୧୨ ମସିହାରୁ ୧୧ ବର୍ଷ ଭିତରେ ସର୍ବାଧିକ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ଜାତୀୟ ପଶୁଙ୍କ ସଂରକ୍ଷଣ ଲାଗି ଦେଶର ପ୍ରଚେଷ୍ଟାକୁ ଏହା ଏକ ବଡ଼ ଧକ୍କା। ଟାଇଗରନେଟ୍.ନିକ୍.ଇନ୍‌ ୱେବ୍‌ସାଇଟ୍‌ରେ ପ୍ରଦର୍ଶିତ ତଥ୍ୟ ଅନୁଯାୟୀ ଚଳିତବର୍ଷ ବାଘ ଛାଲ ଆଦି ଜବତ ଘଟଣା ବୃଦ୍ଧି ପାଇଛି ଏବଂ ଏ ସମ୍ପର୍କରେ ୧୪ଟି ମାମଲା ପଞ୍ଜୀକୃତ ହୋଇଛି, ଯାହା ୨୦୧୭ରୁ ସର୍ବାଧିକ।

Advertisment

ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ସବୁଠାରୁ ଅଧିକ (୩୪ଟି) ବାଘ ମୃତ୍ୟୁ ଘଟଣା ଘଟିଛି ମଧ୍ୟପ୍ରଦେଶରେ ଏବଂ ତା’ ତଳକୁ ୩୨ ବାଘ ମୃତ୍ୟୁ ସହ ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଚଳିତବର୍ଷ ଅଦ୍ୟାବଧି ମୃତ୍ୟୁବରଣ କରିଥିବା ୧୪୬ଟି ବାଘଙ୍କ ମଧ୍ୟରୁ ୨୪ଟି ହେଉଛନ୍ତି ଛୁଆ। ବାଘବଂଶ ବୃଦ୍ଧି ଉପରେ ଏହା ଗୁରୁତର ପ୍ରଭାବ ପକାଉଛି। ଉତ୍ତରାଖଣ୍ଡରେ ୧୭, ଆସାମରେ ୧୧, କର୍ଣ୍ଣାଟକରେ ୯ ଓ ରାଜସ୍ଥାନରେ ୫ଟି ବାଘଙ୍କ ମୃତ୍ୟୁ ଘଟିଛି। ୭୦ଟି ବାଘ ମୃତ୍ୟୁ ବିଭିନ୍ନ ବାଘ ପ୍ରକଳ୍ପରେ ଘଟିଥିବା ଜଣାପଡ଼ିଛି। ୨୦୨୨ରେ ୧୨୧ଟି ବାଘଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୧ରେ ୧୨୭, ୨୦୨୦ରେ ୧୦୬, ୨୦୧୯ରେ ୯୬, ୨୦୧୮ରେ ୧୦୧, ୨୦୧୭ରେ ୧୧୭, ୨୦୧୬ରେ ୧୨୧, ୨୦୧୫ରେ ୮୨, ୨୦୧୪ରେ ୭୮, ୨୦୧୩ରେ ୬୮ଏବଂ ୨୦୧୨ରେ ୮୮ଟି ବାଘଙ୍କ ମୃତ୍ୟୁ ଘଟିଥିଲା। ପ୍ରାକୃତିକ ବା ଅପ୍ରାକୃତିକ କାରଣରୁ ଏହିସବୁ ମୃତ୍ୟୁ ଘଟିଛି। ଅପ୍ରାକୃତିକ କାରଣ ଭିତରେ ରହିଛି ଦୁର୍ଘଟଣା, ବାଘଙ୍କ ଭିତରେ ଲଢ଼େଇ ଏବଂ ବାଘ ଶିକାର।