ଦିନକରେ ଦେଶରେ ୧୮, ୭୧୧ ନୂଆ ସଂକ୍ରମଣ, ୧୦୮ ମୃତ

ନୂଆଦିଲ୍ଲୀ: ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଦେଶରେ ୧୮,୭୧୧ ନୂତନ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିଛି। ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୧୦,୭୯୯ ହୋଇଛି। ସେହିପରି ଏହି ସମୟ ଭିତରେ ମୋଟ ୧୦୮ ଜଣଙ୍କର ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୧,୫୭,୭୫୬ରେ ପହଞ୍ଚିଛି। ସେହିପରି ଅଦ୍ୟାବଧି ଦେଶରେ ମୋଟ ୧,୦୮,୬୮,୫୨୦ ଜଣ ଆରୋଗ୍ୟଲାଭ କରିଥିବା ବେଳେ ୧,୮୪,୫୨୩ ଜଣ ପୀଡ଼ିତ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି।

ଆଜି ସୁଦ୍ଧା ଦେଶର ୨,୦୯,୨୨,୩୪୪ ଜଣ ନାଗରିକଙ୍କର ଟିକାକରଣ ସରିଥିବା ବେଳେ ଉତ୍ତରପ୍ରଦେଶ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କୋଭିଡ୍‌ ଟିକା ଯୋଗାଇବାରେ ଦେଶର ପ୍ରଥମ ରାଜ୍ୟ ହୋଇଛି। ଅପରପକ୍ଷେ, ଦିଲ୍ଲୀରେ ସଂକ୍ରମଣର ଅହେତୁକ ବୃଦ୍ଧି ଯୋଗୁଁ ଗତ ସପ୍ତାହକ ଭିତରେ ଘରେ ଏକାନ୍ତବାସରେ ରହୁଥିବା ପୀଡ଼ିତଙ୍କ ସଂଖ୍ୟା ୩୭ ପ୍ରତିଶତ ବଢ଼ିଛି। ସେହିପରି ସଂକ୍ରମଣ ଦୃଷ୍ଟିରୁ ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟପ୍ରଦେଶ ସରକାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି।

ସମ୍ବନ୍ଧିତ ଖବର