କରୋନା ଭାଇରସ : ଇରାନ୍‌ରୁ ୩୦୦ ଭାରତୀୟଙ୍କ ରକ୍ତ ନମୁନା ଆସିଲା

ନୂଆଦିଲ୍ଲୀ: ଇରାନ୍‌ରୁ ଏକ ବିମାନ ପ୍ରାୟ ୩୦୦ ଭାରତୀୟଙ୍କ ରକ୍ତ ନମୁନା ଧରି ଆଜି ବିଳମ୍ବିତ ରାତିରେ ଭାରତ ପହଞ୍ଚିଛି। ଇରାନ୍‌ର ଏହି ବିମାନ ଫେରିବା ବେଳେ ଭାରତରେ ଥିବା ଇରାନ୍‌ ନାଗରିକଙ୍କୁ ନେଇ ଫେରିବ। କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଏବେ ପ୍ରାୟ ୨୦୦୦ ଭାରତୀୟ ଇରାନ୍‌ର ଧାର୍ମିକ ସ୍ଥଳରେ ଅଛନ୍ତି। କରୋନା ଭାଇରସ୍‌ ଭୟରେ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ବନ୍ଦ ହୋଇଯିବାପରେ ଏହି ନାଗରିକମାନେ ସେଠାରେ ଫସି ରହିଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଇରାନ୍‌ରେ ଫସିଥିବା ଭାରତୀୟମାନଙ୍କୁ‌ ଫେରାଇ ଆଣିବାପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ଭାରତ‌ରେ ବି ପ୍ରାୟ ୨,୦୦୦ ଇରାନ୍‌ ନାଗରିକ ଅଛନ୍ତି। ସେମାନଙ୍କୁ ମଧ୍ୟ ଫେରାଇବାପାଇଁ ବ୍ୟବସ୍ଥା କରାଯାଉଛି। ଇତି ମଧ୍ୟରେ ଇରାନ୍‌ରେ ଏକ ମେଡିକାଲ ଟିମ୍‌ ଯାଇ ପହଞ୍ଚି ସାରିଛନ୍ତି। ଏହି ମେଡିକାଲ୍‌ ଟିମ୍‌ ଇରାନ୍‌ରେ ଥିବା ଭାରତୀୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାପରେ ସେମାନଙ୍କୁ ଭାରତ ଫେରାଇବାପାଇଁ ବ୍ୟବସ୍ଥା ହେବ। ସମସ୍ତ ଭାରତୀୟ ଦୂତାବାସ ସହିତ ଲଗାତାର ସଂପର୍କରେ ଅଛନ୍ତି ଏବଂ ସେମାନଙ୍କ ପାଇଁ କୌଣସି ସମସ୍ୟା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର