ଦୁଇଦିନିଆ ଆନ୍ଦୋଳନ, ଦିଲ୍ଲୀରେ ୧୫,୦୦୦ କୃଷକ ମେଳି

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରୁ ଆଜି ହଜାର ହଜାର କୃଷକ ଦିଲ୍ଲୀର ରାମଲୀଳା ମଇଦାନ୍‌ରେ ଏକାଠି ହୋଇଛନ୍ତି। ବିଭିନ୍ନ ଦାବି ଉପସ୍ଥାପନ କରି ସେମାନେ ୨ ଦିନିଆ କିଷାନ ମୁକ୍ତି ପଦଯାତ୍ରାରେ ସାମିଲ ହୋଇଛନ୍ତି। କୃଷିଋଣ ଛାଡ଼ ସମେତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରି କୃଷକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସାରା ଦେଶରେ ୨୦୦ କୃଷକ ସଂଗଠନକୁ ନେଇ ଗଠିତ ଅଲ୍‌ ଇଣ୍ଡିଆ କିସାନ ସଂଘର୍ଷ ସହଯୋଗ ସମିତି (ଏଆଇକେଏସସିସି) ଅଧୀନରେ ଏହି ପଦଯାତ୍ରା‌ ଆରମ୍ଭ ହୋଇଛି। ଆସନ୍ତାକାଲି ପାଖାପାଖି ୧୫୦୦୦ କୃଷକ ରାମଲୀଳା ମଇଦାନ୍‌ରୁ ସଂସଦ ଅଭିମୁଖେ ପଦଯାତ୍ରା କରିବେ। କୃଷକମାନେ ମଧ୍ୟ କୃଷି ସଙ୍କଟ ଜନିତ ଆଲୋଚନା ପାଇଁ ସଂସଦର ଏକ ସ୍ବତନ୍ତ୍ର ୩ ସପ୍ତାହ ମିଳିତ ଅଧିବେଶନ ଦାବି କରିଛନ୍ତି। ତେବେ ଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀରେ ଏହା ଦ୍ବିତୀୟ କୃଷକ ଆନ୍ଦୋଳନ। ଗତ ଅକ୍ଟୋବର ୨ରେ କୃଷକ ଆନ୍ଦୋଳନ ସମୟରେ ଦିଲ୍ଲୀ ପୁଲିସ ହଜାର ହଜାର କୃଷକଙ୍କୁ ସହର ମଧ୍ୟକୁ ପ୍ରବେଶ କରିବାରେ ଅଟକାଇବା ଫଳରେ ଦିଲ୍ଲୀ-ୟୁପି ଗେଟ୍ ସୀମାରେ ପୁଲିସ ଏବଂ କୃଷକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇ ୨୦ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର