ପିଓକେରେ ଏବେ ୧୫-୨୦ଟି ଆତଙ୍କବାଦୀ ଶିବିର ରହିଛି : ସେନାମୁଖ୍ୟ

ସେନାରେ ମହିଳାଙ୍କ ନିଯୁକ୍ତିକୁ ସ୍ୱାଗତ

ନୂଆଦିଲ୍ଲୀ : ପାକ-ଅଧିକୃତ କଶ୍ମୀର (ପିଓକେ)ରେ ଏବେ ପ୍ରାୟ ୧୫-୨୦ଟି ଆତଙ୍କବାଦୀ ଶିବିର ଚାଲୁରହିଛି । ଏଥିରେ ପ୍ରାୟ ୨୫୦ରୁ ୩୫୦ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ କହିଛନ୍ତି ।

ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ପାକିସ୍ତାନରେ ଏବେ ବି ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁ ରହିଛି । ପିଓକେରେ ଏବେ ୧୫-୨୦ଟି ଆତଙ୍କବାଦୀ ଶିବିର ରହିଛି ଓ ଏଥିରେ ୨୫୦ରୁ ୩୫୦ ଜଣ ଆତଙ୍କବାଦୀ ରହିଛନ୍ତି । ଏହି ସଂଖ୍ୟା କମ ବେଶୀ ହୋଇପାରେ । ତେବେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଯଦି ଅଧିକ ଚାପ ପକାଏ ତେବେ ସେମାନେ ନିଜର ଏହି କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ବାଧ୍ୟ ହେବେ । ଏ ଦିଗରେ ଏଫଏଟିଏଫର ଚାପ ମଧ୍ୟ କିଛିଟା କାମ ଦେଇଛି । ଚୀନ ମଧ୍ୟ ଏବେ ବୁଝିପାରୁଛି ଯେ ସବୁବେଳେ ପାକିସ୍ତାନକୁ ସୁରକ୍ଷା ଦେବା ସମ୍ଭବ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସେନାର ବର୍ଡର ଆକ୍ସନ ଟିମ (ବ୍ୟାଟ୍‌)ର ଗତିବିଧି ସମ୍ପର୍କରେ ଆଗୁଆ ଗୁଇନ୍ଦା ସୂଚନା ମିଳୁଥିବାରୁ ସେମାନଙ୍କ ଆକ୍ରମଣକୁ ଯଥା ସମୟରେ ପଣ୍ଡ କରାଯାଇପାରୁଛି ।

ଅନ୍ୟପକ୍ଷରେ ସେନାରେ ମହିଳାମାନଙ୍କୁ ସମାନ ସୁଯୋଗ ଦେବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ସେନା ଜାତି, ଧର୍ମ ବା ଲିଙ୍ଗ ଭିତ୍ତିରେ ଭେଦଭାବ କରେନାହିଁ । ସେନାରେ ମହିଳାମାନଙ୍କୁ ନିଯୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର