ଅନେକ କଣ୍ଟେନ୍‌ମେଣ୍ଟ୍ ଅଞ୍ଚଳରେ ୧୫-୩୦% ଲୋକ କୋଭିଡ୍-୧୯ ସଂସ୍ପର୍ଶରେ ଆସିଛନ୍ତି : ଆଇସିଏମ୍‌ଆର୍ ସର୍ଭେ

ନୂଆଦିଲ୍ଲୀ: ହଟ୍‌ସ୍ପଟ୍ ସହରମାନଙ୍କର ଅନେକ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ଆପଣାଛାଏଁ ଅଜାଣତରେ ଆରୋଗ୍ୟ ହୋଇଥାଇ ପାରନ୍ତି ବୋଲି ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି।

କରୋନାଭାଇରସ୍‌ ସଂକ୍ରମଣର ପରିବ୍ୟାପ୍ତି ଆକଳନ କରିବା ନିମନ୍ତେ ‘ଆଇସିଏମ୍‌ଆର୍’ ଭାରତରେ ପ୍ରଥମ ଥର ନିମନ୍ତେ ଜନସଂଖ୍ୟା ଆଧାରିତ ବ୍ଲଡ୍‌ ସେରମ୍ ସର୍ଭେ (ସେରୋସର୍ଭେ) କରିଥିଲା।

କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟେରି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେୟାର୍ କରାଯାଇଥିବା ଏହି ସର୍ଭେରୁ ପ୍ରାପ୍ତ ପ୍ରାଥମିକ ଫଳାଫଳରୁ ଜଣାପଡ଼ିଛି ଯେ, କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ୧୫-୩୦% ବ୍ୟକ୍ତି କରୋନାଭାଇରସ୍ ସଂସ୍ପର୍ଶରେ ଆସିଛନ୍ତି।

କୌଣସି ନିର୍ଦ୍ଧିଷ୍ଟ ଭୂତାଣୁ ବା ଅଣୁଜୀବଙ୍କ ପାଇଁ ଥିବା ରୋଗପ୍ରତିରୋଧକ ଶକ୍ତି ବିଷୟରେ ଜାଣିବାକୁ ‘ସେରୋସର୍ଭେ’ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଏ। କରୋନାଭାଇରସ୍ ବା ସାର୍ସ-କୋଭ୍-୨ ସଂକ୍ରମଣ ହେବାର ସାଧାରଣତଃ ୧୪ ଦିନ ପରେ ଦେଖା ଦେଇ ମାସ ମାସ ଧରି ବ୍ଲଡ୍‌ ସେରମ୍‌ରେ ରହୁଥିବା ‘ଆଇଜିଜି ଆଣ୍ଟିବଡି’କୁ ପରୀକ୍ଷା କରିବା ନିମନ୍ତେ ଏହି ସର୍ଭେ କରାଯାଇଥିଲା।

ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍, ଭାରତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କାର୍ଯ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ଜରିଆରେ ‘ଆଇସିଏମ୍‌ଆର୍’ ଦେଶର ୭୦ଟି ଜିଲ୍ଲାରୁ ପାଖାପାଖି ୨୪ ହଜାର ନମୁନା ବ୍ୟକ୍ତି ନିର୍ବିଶେଷରେ ସଂଗ୍ରହ କରିଥିଲା।

ଏଥିରେ ରହିଛି ମୁମ୍ବାଇ, ଅହମଦାବାଦ, ପୁଣେ, ଦିଲ୍ଲୀ, କୋଲ୍‌କାତା, ଇନ୍ଦୋର୍, ଥାନେ, ଜୟପୁର, ଚେନ୍ନାଇ ଏବଂ ସୁରତ ଭଳି ୧୦ଟି ହଟ୍‌ସ୍ପଟ୍ ସହର। ଏହିସବୁ ଅଞ୍ଚଳରେ ଭାରତର ସମୁଦାୟ ସଂକ୍ରମଣ ସଂଖ୍ୟାର ୭୦% ରହିଛି। ଏହି ସହରମାନଙ୍କରୁ ବିନା ବାଛବିଚାରରେ ଚୟନ କରାଯାଇଥିବା ୧୦ଟି କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳରୁ ୫୦୦ଟି ଲେଖାଏଁ ନମୁନା ସଂଗ୍ରହ କରାଯାଇଥିଲା।

ଏଥିସହ, ନିମ୍ନ, ମଧ୍ୟମ ଏବଂ ଉଚ୍ଚ ବର୍ଗ ସଂକ୍ରମଣ ଆଧାରରେ ୨୧ଟି ରାଜ୍ୟର ୬୦ଟି ଜିଲ୍ଲାର ୪୦୦ ଲେଖାଏଁ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା। ‘ଆଇସିଏମ୍‌ଆର୍’ ଅଧୀନରେ ଥିବା ‘ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ ଦ୍ବାରା ବିକଶିତ ‘କୋଭିଡ୍ କବଚ ଏଲିସା’ ନାମକ ପରୀକ୍ଷା କିଟ୍ ଦ୍ବାରା ଏହି ସଂଗୃହୀତ ନମୁନାଗୁଡ଼ି ପରୀକ୍ଷା କରାଯାଇଥିଲା।

 

 

ସମ୍ବନ୍ଧିତ ଖବର