ଗୁଜରାଟ ବିଧାନସଭାରେ ହଙ୍ଗାମା: ୧୫ କଂଗ୍ରେସ ବିଧାୟକ ନିଲମ୍ବିତ

ଅହମଦାବାଦ୍‌: ଗୁଜରାଟ ବିଧାନସଭାରେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଆଜି ୧୫ କଂଗ୍ରେସ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ତୈଳ ଉପରେ ଭ୍ୟାଟ୍‌ ଲାଗୁ ବିରୋଧରେ କଂଗ୍ରେସ ବିଧାୟକମାନେ ଆଜି ଗୃହରେ ହଙ୍ଗାମା କରିବାରୁ ବାଚସ୍ପତି ପାଖାପାଖି ୧୫ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟ ଜଣେ ବିଧାୟକଙ୍କୁ ମଧ୍ୟ ବାଚସ୍ପତି ଦୁଇଦିନ ପାଇଁ ନିଲମ୍ବିତ କରିଥିବା ଜଣାଯାଇଛି। ତେବେ ବାଚସ୍ପତିିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ୫୦ ଜଣ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ।

ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ବିମଳ ଚୁଡ଼ାସମା ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଉପରେ ବିଜେପି ସରକାର ଦ୍ୱାରା ଭ୍ୟାଟ୍‌ ଲାଗୁ ନେଇ  ବିବରଣୀ ମାଗିଥିଲେ। ତୈଳ ଉପରେ ଟିକସ କମାଇବାପାଇଁ ସରକାର କି ଯୋଜନା କରିଛନ୍ତି ସେନେଇ କଂଗ୍ରେସ ବିଧାୟକ ପ୍ରଶ୍ନ କରିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ତାଙ୍କୁ କହିଥିଲେ ଯେ ସରକାର ତୈଳ ଉପରେ ୨୦ ପ୍ରତିଶତ ଭ୍ୟାଟ୍‌ ଲଗାଇଛନ୍ତି। ସେ ଏହାପରେ କଂଗ୍ରେସ ଶାସିତ ପଞ୍ଜାବ ଏବଂ କର୍ଣ୍ଣାଟକକୁ ଗୁଜରାଟ ସହ ତୁଳନା କରି କହିଥିଲେ ଯେ ଉଭୟ ରାଜ୍ୟରେ ତୈଳ ଉପରେ ଗୁଜରାଟ ଅପେକ୍ଷା ଅଧିକ ୨୮ ଏବଂ ୩୦ ପ୍ରତିଶତ ଟିକସ ଲାଗୁ କରାଯାଇଛି। ଏହି ତୁଳନାକୁ ବିରୋଧ କରି ବିରୋଧୀ ଦଳ ନେତା ପରେଶ ଧନ୍ନାଇ ପଟେଲ୍‌ଙ୍କୁ ଗୁଜରାଟରେ ହିଁ ସୀମିତ ରହିବାକୁ କହିଥିଲେ ଏବଂ ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର