ପ୍ରୟାଗରାଜ: ୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ଗତ ୧୭ ଦିନ ମଧ୍ୟରେ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ କରିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି। ବୁଧବାର ମୌନୀ ଅମାବାସ୍ୟାରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ  ‘ଅମୃତ ସ୍ନାନ’ କରିବେ ବୋଲି ଆଶା କରାଯାଉଥିବାରୁ ପ୍ରୟାଗରାଜରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଟି କୋଟି ଲୋକଙ୍କ ସମାଗମ ପାଇଁ ସୁରକ୍ଷା ବ୍ୟବସ୍ଥା ଅଭୂତପୂର୍ବ ରହିଛି। ମେଳା ଅଞ୍ଚଳକୁ ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଛି। ଏଆଇ ଚାଳିତ ସିସିଟିଭି କ୍ୟାମେରା ଓ ଡ୍ରୋନ୍ ବିଶାଳ ମହୋତ୍ସବ ପଡ଼ିଆ ଉପରେ ନଜର ରଖିଛି। ପ୍ରୟାଗରାଜ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମନ୍ଦର ଏହି କାର୍ଯ୍ୟକ୍ରମର ବ୍ୟାପକତା ଉପରେ ଆଲୋକପାତ କରି ତୀର୍ଥଯାତ୍ରୀଙ୍କ ଯାତାୟାତର ସୁବିଧା ପାଇଁ ସ୍ଥାନୀୟ ଲୋକଙ୍କୁ ଦୁଇ ଚକିଆ ଯାନ ବ୍ୟବହାର କରିବାକୁ କିମ୍ବା ଚାଲିଚାଲି ଯିବାକୁ ଅନୁରୋଧ କରିଛନ୍ତି। ମେଳା ଅଞ୍ଚଳରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ଯାନବାହନ ଉପରେ କଡ଼ା କଟକଣା ଲଗାଯାଇଛି।

Advertisment

୭୩ ରାଷ୍ଟ୍ରରୁ କୂଟନୀତିଜ୍ଞଙ୍କୁ ନିମନ୍ତ୍ରଣ କଲା ଭାରତ, ରୁଷ୍‌ କୂଟନୀତିଜ୍ଞଙ୍କ ଉପସ୍ଥିତି ପାଇଁ ୟୁକ୍ରେନ କୂଟନୀତିଜ୍ଞ ଆସିବେନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ୭୩ ରାଷ୍ଟ୍ରର କୂଟନୀତିଜ୍ଞଙ୍କ ଯୋଗଦାନ ପାଇଁ ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପ୍ରସ୍ତୁତି କରିଛନ୍ତି। ଫେବ୍ରୁଆରି ୧ ତାରିଖରେ ୭୩ ରାଷ୍ଟ୍ରର କୂଟନୀତିଜ୍ଞଙ୍କୁ ମହାକୁମ୍ଭକୁ ନିମନ୍ତ୍ରଣ କରାଯାଇଛି। ରୁଷ୍‌ ଏବଂ ୟୁକ୍ରେନ ସମେତ ଅନ୍ୟ ନିମନ୍ତ୍ରିତ ରାଷ୍ଟ୍ରର କୂଟନୀତିଜ୍ଞମାନେ ସଙ୍ଗମରେ ପବିତ୍ର ବୁଡ଼ ପକାଇବେ ଏବଂ ଅକ୍ଷୟବଟ ଓ  ହନୁମାନ ମନ୍ଦିର ବୁଲିବେ।  ତେବେ ମହାକୁମ୍ଭରେ ରୁଷ୍‌ କୂଟନୀତିଜ୍ଞଙ୍କ ଉପସ୍ଥିତି ପାଇଁ ୟୁକ୍ରେନ୍‌ କୂଟନୀତିଜ୍ଞମାନେ ଅଂଶଗ୍ରହଣ କରିବେନି ବୋଲି ୟୁକ୍ରେନ ଦୂତାବା‌ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ୟୁକ୍ରେନ ଦୂତାବାସ ପକ୍ଷରୁ ରୁଷ୍‌କୁ ଇଙ୍ଗିତ କରି କୁହାଯାଇଛି ଯେ ୟୁକ୍ରେନ୍‌ ବିରୋଧରେ ଏବେ ଯେଉଁ ଯୁଦ୍ଧ ଚାଲିଛି ସେଥିରେ  ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି।  ଶିଶୁମାନଙ୍କୁ ବଳପୂର୍ବକ ବିସ୍ଥାପିତ କରାଯାଇଛି, ଅତ୍ୟନ୍ତ ନିର୍ମମ ଅତ୍ୟାଚାର କରାଯାଇଛି ଏବଂ ମହିଳାମାନଙ୍କ ବିରୋଧରେ ଯୌନ ହିଂସା ହୋଇଛି।  ହଜାର ହଜାର ନିରୀହ ଲୋକଙ୍କୁ ହତ୍ୟାର ରକ୍ତ  ଏବେ ବି ଆକ୍ରମଣକାରୀ ହାତରେ ଲାଗିଛି। ଏହା କେବେ ବି ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ପବିତ୍ର ସଙ୍ଗମ ସ୍ଥଳର ପବିତ୍ର ଜଳରେ ଧୋଇ ହେବନାହିଁ ।