ଭୋଗ ଖାଇ ୧୫ ମୃତ ଘଟଣା:ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ଦିର ସାଧୁ

୪ ଗିରଫ, ହତ୍ୟା ମାମଲା ରୁଜୁ

ବେଙ୍ଗାଲୁରୁ: ଗତ ଡିସେମ୍ବର ୧୪ ତାରିଖରେ କର୍ଣ୍ଣାଟକର କୋଲ୍ଲେଗାଲ୍‌ ସ୍ଥିତ ସୁଲୱାଡ଼ି ଗ୍ରାମର କିଚଗୁଠ ମରମ୍ମା ମନ୍ଦିରରେ ପ୍ରସାଦ ଖାଇ ୧୫ ଜଣ ପ୍ରାଣ ହରାଇଥିଲେ ଏବଂ ୧୦୦ରୁ ଊର୍ଦ୍ଧ୍ବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ‌ସେଦିନ ପ୍ରସାଦରେ ବିଷ ମିଶିଥିଲା। ମନ୍ଦିରର ଜଣେ ସାଧୁ ହିଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ମନ୍ଦିର ଟ୍ରଷ୍ଟିଙ୍କୁ ହଟାଇବା ପାଇଁ ଏବଂ ମନ୍ଦିର ପାଣ୍ଠିକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ମନ୍ଦିରର ଇମ୍ମାଦି ମହାଦେବ ସ୍ବାମୀ ନାମକ ଜଣେ ସାଧୁ ଏହି ଷଡ଼ଯନ୍ତ୍ର ରଚିଥିଲେ। ୫୨ ବର୍ଷୀୟ ସାଧୁ ଇମ୍ମାଦିଙ୍କର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ଉକ୍ତ ମହିଳା, ତାଙ୍କ ସ୍ବାମୀ ଏବଂ ପାଖ ମନ୍ଦିରର ଜଣେ ପୁରୋହିତଙ୍କ ସହ ମିଶି ପ୍ରସାଦରେ ବିଷ ମିଶାଇବାର ଚକ୍ରାନ୍ତ କରିଥିଲେ।

ସୂଚନାନୁଯାୟୀ ଉକ୍ତ ମହିଳାଙ୍କ ନାମ ଅମ୍ବିକା ଏବଂ ତାଙ୍କ ସ୍ବାମୀଙ୍କ ନାମ ମଦେଶା। ନିକଟସ୍ଥ ଏକ ମନ୍ଦିରର ପୁରୋହିତ ମଧ୍ୟ ଘଟଣାରେ ସମ୍ପୃକ୍ତ। ସମସ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଅମ୍ବିକା ଦୁଇଟି କୀଟନାଶକ ଔଷଧ ବୋତଲ ଆଣି ପ୍ରସାଦରେ ମିଶାଇଥିଲେ। ସୂଚନାନୁଯାୟୀ, ତାମିଲନାଡ଼ୁ-କର୍ଣ୍ଣାଟକ ସୀମାରେ ଥିବା ଏହି ମନ୍ଦିର ବାର୍ଷିକ ୧୨ ଲକ୍ଷ ଟଙ୍କା ରାଜସ୍ବ ଆୟ କରିଥାଏ। ମନ୍ଦିର ପାଣ୍ଠିକୁ ନେଇ ସାଧୁ ଏବଂ ମନ୍ଦିର ସେବା ସମିତିର ମୁଖ୍ୟ ଟ୍ରଷ୍ଟିଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା।

ସମ୍ବନ୍ଧିତ ଖବର