ତରନତାରନ : ପଞ୍ଜାବର ତରନତାରନ ଜିଲ୍ଲାରେ ଆଜି ଶିଖ୍‌ ସଂପ୍ରଦାୟର ନଗର କୀର୍ତ୍ତନ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଯୋଗୁଁ ୧୫ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପଞ୍ଜାବ ପୁଲିସର ସୂଚନା ମୁତାବକ ନଗର କୀର୍ତ୍ତନ ଚାଲିଥିବା ବେଳେ କିଛି ଲୋକ ବାଣ ଫୁଟାଉଥିଲେ। କୀର୍ତ୍ତନ ଦଳର ପଛରେ ଯାଉଥିବା ଏକ ବାଣ ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯିବାରୁ ଭୟାନକ ବିସ୍ଫୋରଣ ହୋଇଥିଲା ଏବଂ ଘଟଣା ସ୍ଥଳରେ ହିଁ ୧୫ ଜଣଙ୍କ ମୃତ୍ୟୁ ‌ଘଟିଥିଲା। ଅନେକ ଶବ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଉପସ୍ଥିତ ଥିବା ଲୋକେ ମଧ୍ୟ ଏହାର ଶିକାର ହୋଇଥିଲେ। ଅଧିକାଂଶ ମୃତକଙ୍କ ବୟସ ୧୭ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଅନେକ ଆହତଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ତରନତାରନ ଏସ୍‌ପି ଧୃବ ଦାହିୟା କହିଛନ୍ତି ଯେ ବିସ୍ଫୋରଣସ୍ଥଳରୁ ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।