ଗୁଆହାଟୀ : ନାଗାଲାଣ୍ଡର ମ୍ୟାନ୍‌ମାର ସୀମାନ୍ତ ଜିଲ୍ଲାରେ ଶନିବାର ରାତିରେ ଭାରତୀୟ ସେନାର ଉଗ୍ରବାଦ-ବିରୋଧୀ ଅପରେସନ ବେଳେ ସଂପୃକ୍ତ ଅଞ୍ଚଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ସେନାର ଗୁଳିମାଡ଼ରେ ୧୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି। ଏହାର ବିରୋଧ କରି ରାଜ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସଂପୃକ୍ତ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଚଳାଇଛନ୍ତି। ଏଥିରେ ଜଣେ ସୁରକ୍ଷା ଯବାନ ପ୍ରାଣ ହରାଇଥିବ‌ା ବେଳେ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବା ହିଂସାରେ ବର୍ତମାନ ସୁଦ୍ଧା ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ହିଂସାକାଣ୍ଡରେ ଅନେକ ଯବାନ ଏବଂ ଗ୍ରାମବାସୀ ଆହତ ହୋଇଥିବାର ଖବର ମିଳିଛି। ଉଗ୍ରବାଦୀ ଭାବି ଗ୍ରାମବାସୀଙ୍କ ଉପରେ ଗୁଳିମାଡ଼ ପାଇଁ ସେନା ଦୁଃଖ ପ୍ରକାଶ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ରିଓ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଶାନ୍ତି ବଜାୟ ରଖିବା ଲାଗି ଅନୁରୋଧ କରିଛନ୍ତି।

Advertisment

ଗତକାଲି ରାତିରେ ଭାରତ-ମ୍ୟାନମାର୍ ସୀମାରେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ। ଗୁଳିମାଡ଼ରେ ୬ ଜଣ ଗ୍ରାମବାସୀଙ୍କର ଘଟଣାସ୍ଥଳନରେ ମୃତ୍ୟୁ ଘଟିଥିଲା। ହସ୍ପିଟାଲ ନିଆଯିବା ବାଟରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ସୁରକ୍ଷା ବାହିନୀକୁ ଘେରିଯାଇଥିଲେ। ଆତ୍ମରକ୍ଷା ପାଇଁ ସେନା ଗୁଳି ଚଳାଇବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗ୍ରାମବାସୀମାନେ ଆସାମ ରାଇଫଲ୍ସ କ୍ୟାମ୍ପ ଉପରେ ଆକ୍ରମଣ କରି ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୋନ୍ ସହରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆସାମ ରାଇଫଲ୍ସ କ୍ୟାମ୍ପକୁ ଉତ୍ତ୍ୟକ୍ତ ଲୋକେ ଘେରିଯାଇ ସେନା ଛାଉଣିରେ ପଶି ଭଙ୍ଗାରୁଜା କରିବା ସହ କିଛି ଅଂଶରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଚାଲିଥିବା ହିଂସାରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ରବିବାର ସନ୍ଧ୍ୟାରେ ଏକ ବିବୃତିରେ ସେନା ପକ୍ଷରୁ କୁହାଯାଇଛି ଯେ ଏକ ଭୁଲ୍ ତଥ୍ୟ ଉପରେ ବିଶ୍ବାସ କରିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ଏବଂ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍ କରିଛନ୍ତି ଯେ ନାଗାଲାଣ୍ଡର ଓଟିଂ ଗାଁରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିହତ ବ୍ୟକ୍ତିଙ୍କ ପରିବାରବର୍ଗକୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନିଫିଉ ରିଓ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଏକ ଉଚ୍ଚସ୍ତରୀୟ କମିଟି ଏହାର ତଦନ୍ତ କରିବ ଏବଂ ପୀଡ଼ିତ ପରିବାରଗୁଡ଼ିକୁ ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦେଇଥିଲେ। ଏଥିସହ ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସମସ୍ତେ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଥିଲେ। ବର୍ତ୍ତମାନ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ରିଓ ନାଗାଲାଣ୍ଡ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୋନ୍ ଜିଲ୍ଲାରେ ଗୁଜବ ପ୍ରଚାରକୁ ରୋକିବା ପାଇଁ ମୋବାଇଲ ଇଣ୍ଟରନେଟ୍ ଓ ଏସ୍‌ଏମ୍‌ଏସ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ ଯେ ‌ମୋନ୍ ଅଞ୍ଚଳ ନାଗା ଗୋଷ୍ଠୀ ଏନ୍‌ଏସ୍‌ସିଏନ୍‌(କେ) ଏବଂ ଉଲ୍‌ଫା ଉଗ୍ରବାଦୀଙ୍କ ଗଡ଼ ଭାବେ ପରିଚିତ।