ପଶ୍ଚିମବଙ୍ଗ : ଜଙ୍ଗଲରୁ ମିଳିଲା ୧୫ଟି ବୋମାଭର୍ତ୍ତି ପେଟି

କୋଲକାତା : ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଜ୍ୟରେ ଅପରାଧୀ ଓ ଦେଶବିରୋଧୀ ଗୋଷ୍ଠୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଆଜି ରାଜ୍ୟର ପୂର୍ବ ମେଦିନିପୁର ଜିଲ୍ଲା ବକଛାଠାରେ ଥିବା ହୋଗଲା ଜଙ୍ଗଲରୁ ବିପୁଳ ପରିମାଣର ବୋମା ଜବତ ହୋଇଛି । ୧୫ଟି ପେଟିରେ ଏସବୁ ଦେଶୀ ଅଫୁଟା ବୋମା ଭର୍ତ୍ତି କରି ରଖାଯାଇଥିଲା । ପୁଲିସ ଏସବୁ ଡ୍ରମଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛି । ଏହା ସହିତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ବୋମା ନିରୋଧୀ ଟିମକୁ ଡକାଯାଇଛି ବୋଲି ପୂର୍ବ ମେଦିନିପୁର ଜିଲ୍ଲାର ଏସପି ଅମରନାଥ ପି. ସୂଚନା ଦେଇଛନ୍ତି ।

ଗତ ଦୁଇ ମାସ ମଧ୍ୟରେ ପଶ୍ଚିମବଙ୍ଗର ଅନ୍ୟ କେତେକ ସ୍ଥାନରୁ ଅଫୁଟା ବୋମା ଜବତ ହୋଇଛି । ଏପ୍ରିଲ ୫ରେ ବୀରଭୂମ ଜିଲ୍ଲାର ଲୋକପୁରର ଏକ ଜଙ୍ଗଲରୁ ୩୦ଟି ଅଫୁଟା ବୋମା ଜବତ ହୋଇଥିଲା । ଏକ ପ୍ଲାଷ୍ଟିକ ବାଲଟି ଭିତରୁ ଏସବୁ ବୋମା ଜବତ ହୋଇଥିଲା । ଏହାର କିଛି ସପ୍ତାହର ପରେ ଦକ୍ଷିଣ କୋଲକାତାର ଏକ ଶିଶୁ ପାଳନ କେନ୍ଦ୍ର ନିକଟରେ ଥିବା ଏକ ପୁରୁଣା ଅଟୋରିକ୍ସା ଭିତରୁ ୧୯ଟି ଅଫୁଟା ବୋମା ଜବତ କରାଯାଇଥିଲା ।

ଗତ ମାର୍ଚ୍ଚମାସରେ ବୀରଭୂମଠାରେ ହୋଇଥିବା ହିଂସା ପରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇ ଦେଶୀ ବୋମା ଓ ବିସ୍ଫୋରକ ଜବତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିଲେ ।

 

ସମ୍ବନ୍ଧିତ ଖବର