ନୂଆଦିଲ୍ଲୀ: କରୋନାର ‘ଓମିକ୍ରନ୍’ ପ୍ରଜାତିକୁ ନେଇ ଭୟ ବଢ଼ିଛି। ଓମିକ୍ରନ୍ ପ୍ରଜାତି କରୋନା ମହାମାରୀକୁ କେତେଦୂର ପ୍ରଭାବିତ କରିବ ସେନେଇ କୌଣସି ସ୍ପଷ୍ଟ ବୈଜ୍ଞାନିକ ତଥ୍ୟ ଆସିନଥିବାବେଳେ ଏହି ପ୍ରଜାତିକୁ ନେଇ କିନ୍ତୁ ପ୍ରବଳ ଭୟ ବଢ଼ିବାରେ ଲାଗିଛି। ଓମିକ୍ରନ୍ ପ୍ରଜାତି ପାଇଁ ଅଧିକରୁ ଅଧିକ ଲୋକ ଟିକା ନେଇଛନ୍ତି। ଟିକାକରଣ ତଥ୍ୟରୁ ଏହା ଜଣାପଡ଼ିଛି ଯେ, ପୂର୍ବ ୧୩ ଦିନ ତୁଳନାରେ ଗତ ୧୩ ଦିନ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି।
ତେବେ ଏହି ସମୟ ମଧ୍ୟରେ ମୋଟ୍ ଟିକାକରଣରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। କୋୱିନ୍ ଡାଶ୍ବୋର୍ଡ ତଥ୍ୟ ଅନୁଯାୟୀ ନଭେମ୍ବର ୧୨ରୁ ୨୪ ମଧ୍ୟରେ ୫,୮୭,୨୦,୭୩୮ ଜଣ ଦ୍ବିତୀୟ ଡୋଜ୍ ନେଇଥିବାବେଳେ ନଭେମ୍ବର ୨୫ରୁ ଡିସେମ୍ବର ୭ ମଧ୍ୟରେ ଏହି ସଂଖ୍ୟା ୬,୮୮୯,୧୯୧୩କୁ ବୃଦ୍ଧି ପାଇଛି। ଏହାଦ୍ବାରା ଏହି ସମୟ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣରେ ୧୫.୯ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଏହି ସମୟ ମଧ୍ୟରେ ମୋଟ୍ ଟିକାକରଣରେ ୧୫.୨ ପ୍ରତିଶତ ବୃଦ୍ଧି ହୋଇଛି। ନଭେମ୍ବର ୧୨-୨୪ ମଧ୍ୟରେ ମୋଟ୍ ଟିକାକରଣ ୮,୫୪,୮୭,୭୬୯ ଥିବାବେଳେ ନଭେମ୍ବର ୨୫ରୁ ଡିସେମ୍ବର ୭ ମଧ୍ୟରେ ଏହା ୯,୯୫,୫୪,୧୯୨ ରହିଛି। ଇତି ମଧ୍ୟରେ ଦେଶରେ ମୋଟ୍ ଟିକାକରଣ ୧୩୦ କୋଟି ଟପିଯାଇଛି।
ଓମିକ୍ରନ୍ ସଂକ୍ରମଣକୁ ରୋକିବ ଫାଇଜର ତୃତୀୟ ଡୋଜ୍
/sambad/media/post_attachments/wp-content/uploads/2021/12/nbc-news.jpg)
ଫାଇଜର୍ ଏବଂ ବାୟୋଏନଟେକର ପ୍ରାରମ୍ଭିକ ଲ୍ୟାବ ଅଧ୍ୟୟନରେ ଦର୍ଶାଯାଇଛି ଯେ କୋଭିଡ ଟିକାର ତୃତୀୟ ଡୋଜ୍ ଓମିକ୍ରନ୍ ପ୍ରଜାତି ଉପରେ ଅତ୍ୟଧିକ ପ୍ରଭାବଶାଳୀ ହେବ। କମ୍ପାନୀର ବୈଜ୍ଞାନିକମାନଙ୍କ ଅନୁସାରେ ଟିକାକରଣର ଏକ ଅତିରିକ୍ତ ଡୋଜ ପ୍ରାରମ୍ଭିକ ଦୁଇ-ଡୋଜର କ୍ଷମତାକୁ ବଢ଼ାଇଦେବ। ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା ପ୍ରସ୍ତୁତ ହେବ ବୋଲି ଫାଇଜର କହିଛି। ନୂତନ ଡୋଜ ଗୁଡିକର ବିକାଶ ପାଇଁ ସମୟ ଏବଂ କିପରି ସର୍ବୋତ୍ତମ ହେବ ତାହା ଏବେ ଆକଳନ ଚାଲିଛି।
ଅନ୍ୟପକ୍ଷେ ହୁ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଓମିକ୍ରନ୍ ସଂକ୍ରମଣ ଅପେକ୍ଷାକୃତ କମ୍ ମାରାତ୍ମକ ଅଟେ। ତୃତୀୟ ବୁଷ୍ଟର୍ ଡୋଜ୍ କୋଭିଡ୍ ଏବଂ ଭବିଷ୍ୟତରେ ଅନ୍ୟ ପ୍ରଜାତିଗୁଡିକ ବିରୁଦ୍ଧରେ ଦୀର୍ଘସ୍ଥାୟୀ ସୁରକ୍ଷା ପ୍ରଦାନ କରିପାରିବ। ଏଥିସହ ଓମିକ୍ରନ୍-ଟାର୍ଗେଟେଡ୍ ବୁଷ୍ଟର୍ ଗୁଡିକ ବର୍ତ୍ତମାନ ଆବଶ୍ୟକ କି ନାହିଁ ତାହା ଉକ୍ତ ପ୍ରଜାତିର ବିସ୍ତାର ଉପରେ ନିର୍ଭର କରେ ବୋଲି କୁହାଯାଇଛି। ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ ସହିତ କମ୍ପାନୀଗୁଡିକ ମଞ୍ଜୁରୀ ପାଇଁ ମାନବ ପରୀକ୍ଷା ତଥ୍ୟ ଆବଶ୍ୟକ ହେବ କି ନାହିଁ ସେନେଇ ଆଲୋଚନା କରୁଛନ୍ତି।