୧୫ ଜେଏମ୍‌ବି ଆତଙ୍କବାଦୀ ଭାରତରେ: ଓଡ଼ିଶା, ବିହାର ଓ ଜମ୍ମୁ କାଶ୍ମୀରରେ ଅଛନ୍ତି ୧୦ ଜଣ

କୋଲକାତା: ବର୍ଷକ ମଧ୍ୟରେ ଜମାତ-ଉଲ-ମୁଜାହିଦ୍ଦିନ୍‌ ବାଂଲାଦେଶ (ଜେଏମ୍‌ବି)ର ପ୍ରାୟ ୧୫ ଜଣ ଆତଙ୍କବାଦୀ ଭାରତ ଭିତରକୁ ପ୍ରବେଶ କରିସାରିଛନ୍ତି। ରବିବାର ଦକ୍ଷିଣ କୋଲକାତାର ହରିଦେବପୁରରୁ ଏସ୍‌ଟିଏଫ୍‌ ଗିରଫ କରିଥିବା ୩ ଜଣ ଆତଙ୍କବାଦୀଙ୍କୁ ପଚରା ଉଚରା କରିବା ପରେ ଏହି ତଥ୍ୟ ଜଣାପଡ଼ିଛି। ଜେଏମ୍‌ବିର ୧୦ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଅଛନ୍ତି ବୋଲି ଗିରଫ୍‌ ଆତଙ୍କବାଦୀମାନେ ଜେରା ସମୟରେ ସ୍ବୀକାର କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ପଶ୍ଚିମବଙ୍ଗ ସୀମା ଦେଇ ପ୍ରବେଶ କରିଥିବା ଏହି ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ସମେତ ଭାରତର ବିଭିନ୍ନ ରାଜ୍ୟକୁ ପଳାଇଥିଲେ।

ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ୫ ଜଣ ଅଟକି ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରବିବାର ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ଗିରଫ କରିଥିଲା। ଅନ୍ୟ ୨ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। କୋଲକାତାରେ ରହୁଥିବା ୫ ଜଣ ଆତଙ୍କବାଦୀ ଜେଏମ୍‌ବିର ସ୍ଲିପର୍‌ ସେଲ୍‌ ସଦସ୍ୟ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର