ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା, ସାରା ବିଶ୍ୱରେ ମୋଟ ୪୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ଟପିଯାଇଛି । ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ସଂଧ୍ୟା ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ୩୬ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୯ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୧୮ ଲକ୍ଷ ପହଞ୍ଚିଛି ।

ସମଗ୍ର ବିଶ୍ୱରେ ଆମେରିକା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ତାପଛକୁ ରହିଛନ୍ତି ଋଷିଆ ଓ ବ୍ରାଜିଲ । ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୧୫ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୯୦ ହଜାର ଟପିଯାଇଛି । ଋଷିଆରେ ମୋଟ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୮୩୭ରେ ପହଞ୍ଚିଛି । ସେହିପରି ବ୍ରାଜିଲର ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୫୭ ହଜାରରେ ପହଞ୍ଚିଛି । ବ୍ରାଜିଲ ତଳକୁ ରହିଛି ବ୍ରିଟେନ । ଏହାର ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୪୭ ହଜାର ରହିଛି ।

ଆଜି ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ଟପିଯାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୫୮୮୦୨ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୧୬୩ ଓ ଆରୋଗ୍ୟ ସଂଖ୍ୟା ୩୯୧୭୩ ରହିଛି । ଭାରତରେ ଜାନୁଆରି ୩୦ରେ ପ୍ରଥମ କରୋନା ସଂକ୍ରମଣ ଦେଖାଦେଇଥିଲା । ଏଣୁ ପ୍ରଥମ ମାମଲାର ୧୧୦ ଦିନ ପରେ ୧ ଲକ୍ଷ ମାମଲା ଦେଖାଦେଇଛି ।

ସମ୍ବନ୍ଧିତ ଖବର