ଡାଇବେଟିସରେ ବର୍ଷକୁ ୧୫ ଲକ୍ଷ ଲୋକ ମରୁଛନ୍ତି: ହୁ

ନୂଆଦିଲ୍ଲୀ : ବିଶ୍ବ ମଧୁମେହ ଦିବସ ଅବସରରେ ଏହି ରୋଗର ନିରାକରଣ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ନିମେନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପରାମର୍ଶ ଦେଇଛି। ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଡାଇବେଟିସର କାରଣ ଓ ନିରାକରଣ ଉପରେ ଶିକ୍ଷା ଦେବା ଏବଂ ଏହି ରୋଗର ଉନ୍ନତ ଓ ସୁଲଭ ଚିକିତ୍ସା ଉପଲବ୍ଧ କରାଇବା ଉପରେ ହୁ ଗୁରୁତ୍ବ ଦେଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶିକା ଡ ପୁନମ୍ କ୍ଷେତ୍ରପାଳ ସିଂହଙ୍କ କହିବା ଅନୁସାରେ ସାରା ବିଶ୍ବରେ ପ୍ରାୟ ୪୨୨ ନିୟୁତ ଲୋକଙ୍କର ଡାଇବେଟିସ ଅଛି ଏବଂ ବର୍ଷକୁ ୧୫ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି।

ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ୯୬ ନିୟୁତ ଲୋକ ଡାଇବେଟିସ ରୋଗରେ ପୀଡ଼ିତ ଥିବାବେଳେ ଆଉ ୯୬ ନିୟୁତ ଲୋକ ଏହି ରୋଗର ପୂର୍ବାବସ୍ଥା (ପ୍ରି-ଡାଇବେଟିକ୍) ଦେଇ ଗତି କରୁଛନ୍ତି ଏବଂ ବର୍ଷକୁ ଅତି କମ୍‌ରେ ୬୦୦୦୦୦ ଲୋକ ଏହି ରୋଗଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି। ଯଦି କିଛି ଜରୁରିକାଳୀନ ପଦକ୍ଷେପ ନିଆ ନ ଯାଏ, ତେବେ ୨୦୪୫ ସୁଦ୍ଧା ଏହି ଅଞ୍ଚଳରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ୬୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଡ ପୁନମ୍ କ୍ଷେତ୍ରପାଳ କହିଛନ୍ତି। ତାଙ୍କ କହିବା ଅନୁସାରେ ଯଦି ଆରମ୍ଭ ଅବସ୍ଥାରୁ ଚିହ୍ନଟ କରା ନ ଯାଏ ବା ଠିକ୍‌ଭାବରେ ପରିଚାଳନା କରା ନ ଯାଏ, ତେବେ ଏହି ରୋଗ ହାର୍ଟ, ରକ୍ତନାଳୀ, ଆଖି, କିଡ୍‌ନୀ ଓ ସ୍ନାୟୁ ଆଦିକୁ କ୍ଷତି ପହଞ୍ଚାଇ ମରଣପଥ ଉନ୍ମୁକ୍ତ କରିଦେଇପାରେ।

ଟାଇପ-୨ ଡାଇବେଟିସ ବିଷୟରେ ଡ କ୍ଷେତ୍ରପାଳ କହିଲେ ଯେ, ନିୟମିତ ଶାରୀରିକ ବ୍ୟାୟାମ ବା ପରିଶ୍ରମ ଓ ସ୍ବାସ୍ଥ୍ୟକର ଭୋଜନ ଦ୍ବାରା ଏବଂ ତମାଖୁ ଓ ମଦ ପ୍ରଭୃତି ବର୍ଜନ ଦ୍ବାରା ଏହା କବଳରୁ ମୁକ୍ତି ମିଳିପାରେ। ଯଦି ଥରେ ଟାଇପ-୨ ଡାଇବେଟିସ୍ ଆରମ୍ଭ ହୋଇଗଲା, ତେବେ ଔଷଧ ସେବନ, ରକ୍ତଚାପ ଓ ଲିପିଡ଼ (ତେଲ ବା ଚର୍ବି ଜାତୀୟ ପଦାର୍ଥ)ର ନିୟନ୍ତ୍ରଣ ଏବଂ ସ୍ବାସ୍ଥ୍ୟକର ଜୀବନଶୈଳୀ ଦ୍ବାରା ଏହାକୁ ନିୟନ୍ତ୍ରଣ କରିବା ଦରକାର। ଟାଇପ-୧ ଡାଇବେଟିସ ସାଧାରଣତଃ ଶିଶୁ ଓ କିଶୋରମାନଙ୍କୁ ହୋଇଥାଏ। ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳରେ ୨୫୦୦୦୦ ଶିଶୁ ଓ କିଶୋର ଏହି ରୋଗରେ ପୀଡ଼ିତ। ବର୍ତ୍ତମାନ ଏହାର ନିରାକରଣ ସମ୍ଭବ ନ ହେଲେ ବି ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଯେଉଁମାନେ ଉଭୟ ପ୍ରକାର ଡାଇବେଟିସ ଦ୍ବାରା ପୀଡ଼ିତ, ସେମାନଙ୍କ ଜୀବନ ବଞ୍ଚାଇବା ଲାଗି ଇନସୁଲିନ ଆଦି ସହ ସୁଲଭ ଚିକିତ୍ସା ବ୍ୟବସ୍ଥା କରାଯିବା ଦରକାର ବୋଲି ଡ କ୍ଷେତ୍ରପାଳ କହିଛନ୍ତି।

ସମ୍ବନ୍ଧିତ ଖବର