ନୂଆଦିଲ୍ଲୀ: ବିଷାକ୍ତ ଖାଦ୍ୟ ଖାଇ ଭାରତରେ ବର୍ଷକୁ ଯାଉଛି ୧୫ ଲକ୍ଷ ଲୋକଙ୍କ ଜୀବନ | ଏଭଳି ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୨୦୦୮ ମସିହାରୁ ୨୦୧୭ ମସିହା ମଧ୍ୟରେ ବିଷାକ୍ତ ଖାଦ୍ୟ ମଡ଼କ ଭାରତରେ ବ୍ୟାପିବାରେ ଲାଗିଛି | ଖରାପ ଖାଦ୍ୟ ଖାଇବାରେ ବିଶ୍ୱର ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଭାରତ | ବର୍ଷକୁ ୩୧ ଲକ୍ଷ ଲୋକଙ୍କ ମୃତ୍ୟୁ ସହ ଚୀନ ପ୍ରଥମ ସ୍ଥାନରେ ରହିଛି |

Advertisment

publive-image

ସେହିପରି ବିଶ୍ବବ୍ୟାଙ୍କର ରିପୋର୍ଟ ଅନୁସାରେ ବିଷାକ୍ତ ଖାଦ୍ୟ ଯୋଗୁଁ ଭାରତ ଉପରେ ୧୭୮୧୦୦ କୋଟି ଟଙ୍କାର ବୋଝ ପଡୁଛି | ୨୦୦୮ ରୁ ୨୦୧୭ ମସିହା ମଧ୍ୟରେ ସବୁଠାରୁ ଅଧିକ ବିଷାକ୍ତ ଖାଦ୍ୟର ଅଭିଯୋଗ ସେହି ସବୁସ୍ଥାନରୁ ଆସିଛି ଯେଉଁଠି ଅଧିକ ମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ | ବିବାହ ସମାରୋହ, ହୋଟେଲ, କ୍ୟାଣ୍ଟିନରେ ଖାଦ୍ୟ ଅଧିକ ବିଷାକ୍ତ ହେଉଛି |

ବିଶେଷ କରି ଖାଦ୍ୟରେ ଗୁଣବତ୍ତା ବିହୀନ ସାମଗ୍ରୀ ମିଶାଇବା ଦ୍ୱାରା ବଢିଚାଲିଛି ମୃତ୍ୟୁ ସଂଖ୍ୟା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ବିଷାକ୍ତ ଖାଦ୍ୟ ଯୋଗୁଁ ୨୦୦ ପ୍ରକାର ରୋଗ ହୋଇଥାଏ | ଡାଇରିଆରୁ ଆରମ୍ଭ କରି କ୍ୟାନ୍ସର ଭଳି ରୋଗ ହେଉଥିବାବେଳେ ୬୦ କୋଟି ଲୋକ ଅସୁସ୍ଥ ହେଉଛନ୍ତି |