ବାୟୁସେନା ବିମାନ ଦୁର୍ଘଟଣା ସ୍ଥଳରେ ହେଲିକାପ୍ଟରରୁ ଓହ୍ଲାଇଲେ ୧୫ ଯବାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ଏଏନ ୩୨ ବିମାନର ଧ୍ୱଂସାବଶେଷ ଚିହ୍ନଟ ହେବାର ଦିନକ ପରେ ଆଜି ସକାଳେ ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ଦୁର୍ଗମ ଅଞ୍ଚଳରେ ହେଲିକାପ୍ଟର ଓହ୍ଲାଇବା ସମ୍ଭବ ନହେବାରୁ ସେଠାରେ ୮ରୁ ୧୦ ଜଣ ଯବାନ ହେଲିକାପ୍ଟରରୁ ଓହ୍ଲାଇଛନ୍ତି । ଏକ ୧୫ ଜଣିଆ ଟିମକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି । ସେମାନଙ୍କ ମଧ୍ୟରୁ ୯ ଜଣ ଏୟାରଫୋର୍ସ ଯବାନ ଓ ୬ ଜଣ ପର୍ବତାରୋହୀ ଅଛନ୍ତି । ଏୟାରଫୋର୍ସ ଯବାନଙ୍କ ମଧ୍ୟରେ ୪ ଜଣ ଗରୁଡ଼ କମାଣ୍ଡୋ ରହିଛନ୍ତି ।

 

ସେମାନଙ୍କ ମଧ୍ୟରୁ ପ୍ରାୟ ୮ରୁ ୧୦ ଜଣ ହେଲିକାପ୍ଟର ମାଧ୍ୟମରେ ଘଟଣାସ୍ଥଳରେ ଓହ୍ଲାଇଥିବାବେଳେ ଆଉ ୫ ଜଣ ପର୍ବତ ଚଢି ସେଠାକୁ ଯାଉଛନ୍ତି । ଘଟଣାସ୍ଥଳରେ ଯବାନମାନେ ପହଞ୍ଚିବା ପରେ ସେଠାରେ ପ୍ରଥମେ ଏକ ବେସ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି । ଏହା ପରେ ଆହୁରି କିଛି ଉଦ୍ଧାରକାରୀ ସେଠାରେ ପହଞ୍ଚିବେ ।

ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ଣରେ ଏହି ବିମାନର ଧ୍ୱଂସାବଶେଷ ମିଳିଥିବା କଥା ବାୟୁସେନା ପକ୍ଷରୁ ଘୋଷଣା କରାଯାଇଥିଲା । ବାୟୁସେନାର ଚିତା ଓ ଏମଆଇ ୧୭ ହେଲିକାପ୍ଟର ଏହାକୁ ଚିହ୍ନଟ କରିଥିଲା । ଏହା ଅରୁଣାଚଳପ୍ରଦେଶର ଲିପାଠାରୁ ୧୬ କିମ ଉତ୍ତରରେ ମିଳିଥିଲା । କିନ୍ତୁ ଦୁର୍ଗମ ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେଠାରେ ହେଲିକାପ୍ଟର ଓହ୍ଲାଇପାରୁ ନାହିଁ ।

ସମ୍ବନ୍ଧିତ ଖବର