ଭାଲେଣ୍ଟାଇନ ଡେରେ ବିବାହ ବନ୍ଧନରେ ବାନ୍ଧିହେଲେ ୧୫ ନକ୍ସଲ ଦମ୍ପତ୍ତି, ପୁଲିସ ସାଜିଲା ବରଯାତ୍ରୀ

ଦାନ୍ତେୱାଡା: ଦିନେ ଜଙ୍ଗଲରେ ବନ୍ଧୁକ ଧରି ଲାଲ ସଲାମର ନାରା ଦେଇ ପୁଲିସ ସହ ମୁହାଁମୁହିଁ ହେଉଥିଲେ | ଆଉ ଏବେ ସେହି ପୁଲିସ ସହାୟତାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନକ୍ସଲ ଦମ୍ପତ୍ତି | ରବିବାର ଦିନ ଦାନ୍ତେୱାଡାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା | ମିଳିଥିବା ସୂଚନା ମୁତାବକ ଗତକାଲି ଭାଲେଣ୍ଟାଇନ ଡେ ଅବସରରେ ଦାନ୍ତେୱାଡା ପୁଲିସ ପକ୍ଷରୁ ଗଣବିବାହର ଆୟୋଜନ କରାଯାଇଥିଲା | ଏଥିରେ ଆତ୍ମସମର୍ପଣ କରିଥିବା ୧୫ ଜଣ ନକ୍ସଲ କ୍ୟାଡରଙ୍କ ମଧ୍ୟରେ ବିବାହ ହୋଇଥିଲା |

ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପୁଲିସ ପକ୍ଷରୁ ଏହି ଅଭିନବ ଉଦ୍ୟମ କରାଯାଇଥିଲା | ଏହି ସବୁ ନକ୍ସଲମାନେ ଗତ ୬ ମାସ ମଧ୍ୟରେ ଆତ୍ମସମର୍ପଣ କରିଥିବାବେଳେ ସେମାନଙ୍କୁ ପୁରସ୍କାର ରାଶି ମଧ୍ୟ ମିଳିଥିଲା | ଏହାକୁ ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି ଯେ ଯେଉଁ ନକ୍ସଲମାନଙ୍କର ବିବାହ ହୋଇଛି ସେମାନେ ଗତ ୬ ମାସ ମଧ୍ୟରେ ଆତ୍ମସମର୍ପଣ କରିଥିଲେ | ବିବାହ କରି କିଭଳି ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯାଇପାରିବ ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା |

ବିବାହ କାର୍ଯ୍ୟକ୍ରମରେ ପୁଲିସ କର୍ମୀମାନେ ବରଯାତ୍ରୀ ସାଜିଥିବାବେଳେ ବରିଷ୍ଠ ପୁଲିସ ଅଧିକାରୀମାନେ କନ୍ୟାଦାନ କରିଥିଲେ | ଏହି ବିବାହ କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିଥିବା ନକ୍ସଲ ଦମ୍ପତ୍ତିଙ୍କ ପରିବାର ଓ ବନ୍ଧୁ ପରିଜନ ଯୋଗ ଦେଇଥିଲେ |ତେବେ ପୁଲିସ ପକ୍ଷରୁ କରାଯାଇଥିବା ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ |

ସମ୍ବନ୍ଧିତ ଖବର