ମସ୍କଟ୍‌ରେ ଫସିଛନ୍ତି ୧୫ ଓଡ଼ିଆ ପ୍ରବାସୀ; ବର୍ଷେ ହେଲାଣି କମ୍ପାନି ବନ୍ଦ, ବାକିଆ ପାଉଣା ଦେଉନି

ଓମାନ୍‌: ଓମାନ୍‌ର ରାଜଧାନୀ ମସ୍କଟରେ ୧୫ ପ୍ରବାସୀ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ପାଖାପାଖି ବର୍ଷେ ହେଲା କମ୍ପାନି ବନ୍ଦ ହୋଇଯାଇଥିଲେ ହେଁ କମ୍ପାନି ସେମାନଙ୍କ ବାକିଆ ପଇସା ନ ଦେଇ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ପାଖାପାଖି ୧୦ ମାସ ହେବ ବିନା ଦରମାରେ ଅତି ଦୁର୍ବିଷହ ଜୀବନଯାପନ କରୁଛନ୍ତି। ଏକ ଭିଡିଓ ଜରିଆରେ ସେମାନେ କହିଛନ୍ତି ଯେ ପାଖାପାଖି ୭ ବର୍ଷ ହେଲା ସେମାନେ ଡଲ୍‌ଫିନ୍‌ ଟ୍ରେଡିଂ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କମ୍ପାନିରେ କାମ କରୁଥିଲେ। କିନ୍ତୁ ପାଖାପାଖି ବର୍ଷେ ତଳେ କମ୍ପାନି ହଠାତ୍‌ ବନ୍ଦ ହୋଇଯାଇଥିଲା। ତେଣୁ ଏହି ପ୍ରବାସୀ ଶ୍ରମିକମାନେ ସେମାନଙ୍କ ବାକିଆ ପଇସା ମାଗିବା ସହ ଓଡ଼ିଶା ପଠାଇଦେବା ପାଇଁ କମ୍ପାନିକୁ ଅନୁରୋଧ କରିଥିଲେ। କିନ୍ତୁ ବାକିଆ ପଇସା ଦେବା ବଦଳରେ କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ସେମାନେ ନିଜ ନିଜର ବାକିଆ ପଇସା ପାଇଯାଇଛନ୍ତି ବୋଲି ଏକ ସ୍ବୀକା‌ରୋକ୍ତିପତ୍ରରେ ହସ୍ତାକ୍ଷର କରିବାକୁ କମ୍ପାନି ସେମାନଙ୍କ ଉପରେ ଚାପ ପକାଉଛି। ଏପରି ନ କଲେ ସେମା‌ନେ ବିମାନରେ ସ୍ବଦେଶ ଫେରିବାରେ ଅସୁବିଧା ହେବ ବୋଲି କହୁଛନ୍ତି। ତେଣୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓମାନରେ ଭାରତୀୟ ଦୂତାବାସଙ୍କୁ ଅନୁରୋଧ କରିଛନ୍ତି। ତେବେ ଏ ସଂପର୍କରେ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ. ଅରୁଣ କୁମାର ପ୍ରହରାଜ ଜାଣିବା ପରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଆରମ୍ଭ କରିଛନ୍ତି। ଓମାନରେ ଥିବା ଭାରତୀୟ ଦୂତାବାସ ଓ ଅନ୍ୟ ଅଧିକାରୀମାନଙ୍କ ସହ ଯୋଗଯୋଗ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର