କେରଳରେ ଡଙ୍ଗା ବୁଡି ୧୫ ପର୍ଯ୍ୟଟକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ଡଙ୍ଗା ବୁଡି ୧୫ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଉକ୍ତ ଡଙ୍ଗାରେ ୪୦ ପର୍ଯ୍ୟଟକ ଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନା ଯୋଗ୍ୟ ଯେ, ତନୁର ନିକଟସ୍ଥ ଓଟୁପୁରମରେ ଥିବା ଥୁରମ ଥିରମ ପର୍ଯ୍ୟଟନସ୍ଥଳ ପରିଦର୍ଶନ ନିମନ୍ତେ ଏକ ଡଙ୍ଗା ୪୦ ପର୍ଯ୍ୟଟକଙ୍କୁ ନେଇ ସନ୍ଧ୍ୟା ପ୍ରାୟ ୭ଟାରେ ବାହାରିଥିଲା। ପର୍ଯ୍ୟଟକମାନେ ଡଙ୍ଗାରେ ବସି ଭ୍ରମଣ କରୁଥିବାବେଳେ ଭାରସାମ୍ୟ ହରାଇବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡିଛି। ମଲପୁରମ ଜିଲ୍ଲାପାଳଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି।

ତନୁର ଓ ତିରୁରରୁ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ତିରୁରାଙ୍ଗାଡି, ପାରାପାନାଗାଡି, କୋଟାକଲ ଓ ତନୁର ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର