ଝାଡଖଣ୍ଡରେ ଜେଲ୍ ଅନ୍ତେବାସୀଙ୍କୁ ହତ୍ୟା କରିଥିବାରୁ ୧୫ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ କୋର୍ଟ

ଜାମସେଦପୁର: ଏହା ସାଙ୍ଗରେ ୧୫ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ। ଜେଲ‌ ଭିତରେ ରହି ଜଣେ କଏଦୀଙ୍କୁ ମାଡ଼ ମାରି ହତ୍ୟା କରିଥିବାରୁ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି ଝାଡଖଣ୍ଡ କୋର୍ଟ। ୨୦୧୯ରେ ଜେଲ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଜାମସେଦପୁରର ଘାଗିଡିହ ସେଣ୍ଟ୍ରାଲ ଜେଲର ଜଣେ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା। ଏହାର ଶୁଣାଣି କରି ଗୁରୁବାର ଦିନ ଝାଡଖଣ୍ଡର ପୂର୍ବ ସିଂହବୁମ ଜିଲ୍ଲାର ଏକ କୋର୍ଟ ଦ୍ୱାରା ୧୫ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ଅତିରିକ୍ତ ଜିଲ୍ଲା ଜଜ-୪ ରାଜେନ୍ଦ୍ର କୁମାର ସିହ୍ନାଙ୍କ କୋର୍ଟ ଆଇପିସି ଧାରା ୩୦୨(ହତ୍ୟା) ଏବଂ ୧୨୦ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବା ପରେ ୧୫ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ବୋଲି ଅତିରିକ୍ତ ସରକାରୀ ଓକିଲ ରାଜୀବ କୁମାର କହିଛନ୍ତି। ଆଇପିସି ଧାରା ୩୦୭ (ହତ୍ୟା ଉଦ୍ୟମ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଅନ୍ୟ ୭ଜଣଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ଜୁନ୍ ୨୫, ୨୦୧୯ରେ ଦୁଇ ଗୋଷ୍ଠୀ ଅନ୍ତେବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ମନୋଜ କୁମାର ସିଂଙ୍କ ସମେତ ଦୁଇ ଜଣ ଅନ୍ତେବାସୀ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯିବା ବାଟରେ ହିଁ ମନୋଜ କୁମାର ସିଂଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଏଭଳି ହିଂସାକୁ ନେଇ ପାର୍ସୁଦି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର