୪ ମାସରେ ୧୫ ଗର୍ଭବତୀ ମୃତ:ଖରାପ ରକ୍ତ

ଚେନାଇ,: ଖରାପ ରକ୍ତ ଚଢ଼ାଯିବାରୁ ତାମିଲନାଡ଼ୁରେ ଚାରି ମାସରେ ୧୫ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ରକ୍ତ ସଂରକ୍ଷିତ ରଖିବା ପ୍ରଣାଳୀ ଭୁଲ ଥିବା ବେଳେ ଡାକ୍ତରମାନେ ଏହାକୁ ସୁରକ୍ଷିତ ବୋଲି ସାର୍ଟିଫିକେଟ ଦେଇଥିବା ହେତୁ ଏଭଳି ସ୍ଥିତି ଉପୁଜିଛି। ଲୋକଙ୍କ ଜୀବନ ସହ ଏଭଳି ଖେଳ ତାମିଲନାଡୁରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଚାରି ମାସରେ ଅନ୍ୟୁନ ୧୫ ଜଣ ଗର୍ଭବତୀ ମହିଳା କେବଳ ଖରାପ ରକ୍ତ ଯୋଗୁଁ ପ୍ରାଣ ହରାଇଛନ୍ତି। ବରିଷ୍ଠ ଅଧିକାରୀ ଏବଂ ଡାକ୍ତରମାନେ ଧର୍ମପୁରୀ, ହସୁର ଏବଂ କ୍ରିଷ୍ଣାଗିରି ସରକାରୀ ହସ୍ପିଟାଲରେ ଅଡିଟ କରିବା ପରେ ଏଭଳି ସଂଗୀନ ଘଟଣା ଲୋକଲୋଚନକୁ ଆସିଛି। ବହୁତ ଘଟଣାରେ ରକ୍ତ ସଂରକ୍ଷିତ ପ୍ରଣାଳୀ ଭୁଲ ଥିବା ହେତୁ ଗର୍ଭବତୀମାନଙ୍କୁ ରକ୍ତ ଚଢ଼ାଯିବା ପରେ ସେମାନଙ୍କ ଅବସ୍ଥା ଗୁରୁତ୍ତର ହେବ ସହ ମୃତ୍ୟୁ ମଧ୍ୟ ଘଟିଛି। ଏଭଳିକି ରକ୍ତର ଭଲ୍ୟୁମ ୫୦ ମିଲି ଲିଟରଠାରୁ କମ୍ ଥିବା ଜଣାପଡିଛି। କେତେକ ଘଟଣାରେ ଅଳ୍ପ ସମୟ ମଧ୍ୟରେ ହିଁ ଗର୍ଭବତୀ ମୃତ୍ୟୁର ଶିକାର ହୋଇଥିବା ଜଣାପଡ଼ିଛି । ମାମଲା ଅତ୍ୟନ୍ତ ସ୍ପର୍ଶକାତର ଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ବେପରୁଆ ନୀତି ଧରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ।
ଯେଉଁ କର୍ମଚାରୀ ଏବଂ ଡାକ୍ତରମାନେ ଖରାପ ରକ୍ତକୁ ଭଲ ବୋଲି ସାର୍ଟିଫିକେଟ ଦେଇଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଖରାପ ରକ୍ତ ସଂପର୍କରେ ସ୍ୱାସ୍ଥ୍ୟ କର୍ମଚାରୀ ବା ସରକାରୀ ଡାକ୍ତରମାନେ କିଭଳି ଜାଣିପାରିଲେନି ତାହାର ସବିଶେଷ ଯାଞ୍ଚ ଜରୁରୀ ବୋଲି କୁୂହାଯାଇଛି। ଏମିତିକି ସୁତାରର ଜଣେ ମହିଳାଙ୍କୁ ରକ୍ତ ଦିଆଯିବା ପରେ ତାହା ଏଚ୍ଆଇଭି ସଂକ୍ରମିତ ଥିବା ଜଣାପଡିଥିଲା । ଏହି ରକ୍ତକୁ ବ୍ଲଡ ବ୍ୟାଙ୍କର ଡାକ୍ତର୍‌ ଠିକ୍ ବୋଲି ସାର୍ଟିଫିକେଟ କିଭଳି ଦେଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ବେଲା ରାଜେସ୍‌ ସମ୍ପୃକ୍ତ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦିଆଯିବାକୁ ନିର୍ଦେଶ ଦିଆଯାଇଛି ଏବଂ ଅନ୍ୟମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିସ ହୋଇଛି।

ସମ୍ବନ୍ଧିତ ଖବର