ବେଜିଂ: ବିଶ୍ବବ୍ୟାପୀ ଭୟ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ ଚୀନ୍ ସମେତ ୨୩ ଦେଶକୁ ବ୍ୟାପିଛି। ଚୀନ୍ରେ କରୋନା ଭାଇରସ୍ ଯୋଗୁଁ ସ୍ଥିତି ଦିନକୁ ଦିନ ଅତି ଗମ୍ଭୀର ହେବାରେ ଲାଗିଛି। ଚୀନ୍ରେ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୨୧୩କୁ ବୃଦ୍ଧି ପାଇଥିବା ବେଳେ ବିଶ୍ବବ୍ୟାପୀ ୧୫ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ କରୋନା ଭାଇରସ ବ୍ରିଟେନ, ଇଟାଲି , ଭାରତ, ଫିଲିପାଇନ୍ସ, ଫିନଲାଣ୍ଡ୍, ୟୁଏଇ, ଜର୍ମାନୀ, ଶ୍ରୀଲଙ୍କା, କାମ୍ବୋଡ଼ିଆ, କାନାଡ଼ା, ମାଲେସିଆ, ଅଷ୍ଟ୍ରେଲିଆ, ନେପାଳ, ଫ୍ରାନ୍ସ, ଭିଏତନାମ, ସିଙ୍ଗାପୁର, ହଂକଂ, ମକାଉ, ତାଇୱାନ୍, ଆମେରିକା, ଦକ୍ଷିଣ କୋରିଆ, ଜାପାନ ଏବଂ ଥାଇଲାଣ୍ଡରେ ପହଞ୍ଚି ସାରିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨୭ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଅଛି। ଚୀନ୍ରେ ୧୭୧ ଜଣ ଚିକିତ୍ସା ପରେ ହସ୍ପିଟାଲ୍ରୁ ଡିସଚାର୍ଜ୍ ହୋଇଛନ୍ତି। ହୁୱେଇ ପ୍ରଦେଶରେ ଗୋଟିଏ ଦିନରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ହୁୱେଇରେ ୧୨୨୦ ନୂଆ ମାମଲା ସାମ୍ନାକୁ ଆସିଛି।
କରୋନା ଭାଇରସ୍ ବିଭିନ୍ନ ଦେଶକୁ ବ୍ୟାପୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କରାଯାଇଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟିଏ ଗେବ୍ରିୟେସୋସ କହିଛନ୍ତି. କେବଳ ଚୀନ୍ ସ୍ଥିତି ପାଇଁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା ହୋଇନାହିଁ, ଏବେ ଏହା ଆଉ ୨୨ ଦେଶକୁ ବ୍ୟାପିଥିବାରୁ ମାମଲା ସାଂଘାତିକ ହେଲାଣି। ଚୀନ୍ ଅନ୍ୟ ଦେଶକୁ ଭାଇରସ୍ ଯେଭଳି ନ ବ୍ୟାପିବ ସେ ଦିଗରେ ଉଚିତ ପଦକ୍ଷେପ ନେଇନାହିଁ ବୋଲି ଅଭିଯୋଗ ହୋଇଛି। ଭାଇରସ୍ର ନିବାରଣ ନେଇ ମଧ୍ୟ ଚୀନ୍ ଆବଶ୍ୟକ ଔଷଧ ଓ ଟିକା ପ୍ରସ୍ତୁତ କରିବାରେ ବିଫଳ ହୋଇଥିବାରୁ ବୈଶ୍ବିକ ଏମର୍ଜେନ୍ସି ଘୋଷଣା ଏହାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।
ମୁକାବିଲା ପାଇଁ ବିଶ୍ବସ୍ତରରେ ବୈଜ୍ଞାନିକଙ୍କ ପ୍ରୟାସ
ବେଜିଂ : କରୋନ ଭାଇରସ୍ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଥିବା ବଳେ ଏହାକୁ ରୋକିବାପାଇଁ କୌଣସି ଔଷଧ ନାହିଁ। ତେବେ କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ବିଶ୍ବବ୍ୟାପୀ ମେଡିକାଲ ବିଶେଷଜ୍ଞ ଏବଂ ବୈଜ୍ଞାନିକଙ୍କ ଦ୍ବାରା ଔଷଧ ଓ ଇଂଜେକସନ୍ ବାହାର କରିବା ନିମନ୍ତେ ପ୍ରୟାସ ଜାରି ରହିଛି। ଚୀନ୍ ପ୍ରଧାନମନ୍ତ୍ରୀ ଲି କେପିଆଙ୍ଗ୍ କରୋନା ଭାଇରସ୍ର ମୁକାବିଲା ପାଇଁ ଇଂଜେକସନ୍ ଏବଂ ମେଡିସିନ୍ ବାହାର କରିବାକୁ ନିବେଦନ କରିଛନ୍ତି। ସାଂଘାଇ ଇଷ୍ଟ୍ ହସ୍ପିଟାଲ୍, ଚୀନ୍ର ସିଙ୍ଗୁଆ ବିଶ୍ବବିଦ୍ୟାଳୟର ବିଭିନ୍ନ ଟିମ୍ ପକ୍ଷରୁ କରୋନା ଭାଇରସ୍ ମୁକାବିଲା ପାଇଁ ଇଂଜେକ୍ସନ ବାହାର କରିବାକୁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି। ତେବେ ହଂକଂ ବିଶ୍ବବିଦ୍ୟାଳୟ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଏହି ଭାଇରସ୍ ନିରାକରଣ ପାଇଁ ଇଂଜେକସନ୍ ଆରମ୍ଭ କରି ସାରିଛନ୍ତି।