ନେତୃବର୍ଗଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତ ବିୟୋଗରେ ଦେଶ ବ୍ୟାପୀ ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଦଳର ନେତୃବର୍ଗ ଶୀଲାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ତମାମ ନେତା ଶୀଲାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶେଷ ଦର୍ଶନ ପାଇଁ ଶୀଲାଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ରଖାଯାଇଥିବା ବେଳେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପ୍ରମୁଖ ଶତାଧିକ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍‌ କରି କହିଛନ୍ତି ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ଶ୍ରୀମତୀ ଶୀଲା ଦୀକ୍ଷିତଙ୍କ ବିୟୋଗ ତାଙ୍କୁ ଦୁଃଖ ଦେଇଛି। ତାଙ୍କ କାର୍ଯ୍ୟକାଳରେ ରାଜଧାନୀ ଦିଲ୍ଲୀରେ ଅନେକ ଗୁରୁତ୍ବପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଶୀଲା ଦିକ୍ଷୀତଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ। ଶୀଲାଙ୍କ ବ୍ୟକ୍ତିତ୍ବ ଅତ୍ୟନ୍ତ ପ୍ରଭାବଶାଳୀ ରହିଥିଲା। ସେ ଦିଲ୍ଲୀ‌ର ବିକାଶରେ ଅନେକ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି। ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ମୁଁ ମୋର ଜଣେ ଅନେକ ଦିନର ବନ୍ଧୁ ଏବଂ ସହକର୍ମୀଙ୍କୁ ହରାଇଲି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍‌ କରି କହିଛନ୍ତି ଶୀଲା ଦୀକ୍ଷିତ କଂଗ୍ରେସର ସୁଯୋଗ୍ୟ ସନ୍ତାନ ଥିଲେ। ଶୀଲାଙ୍କ ପରିବାର ଏବଂ ଦିଲ୍ଲୀର ନାଗରିକଙ୍କ ପାଇଁ ଏହି ଶୋକ ସମୟରେ ମୋର ସମବେଦନା। କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ମୁଁ ଶୀଲାଜୀଙ୍କଠାରୁ ଅନେକ ସ୍ନେହ ପାଇଛି। ସେ ଦିଲ୍ଲୀ ଏବଂ ଦେଶର ବିକାଶ ପାଇଁ ଅନେକ କିଛି କରିଛନ୍ତି। ତାଙ୍କ ବିୟୋଗରେ ମୁଁ ମର୍ମାହତ। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଶୀଲାଙ୍କ ଅଚାନକ ବିୟୋଗ ଖବର ପାଇ ମୁଁ ଗଭୀର ମର୍ମାହତ। ଆଜି ଦେଶ ଜଣେ ସମର୍ପିତ ନେତ୍ରୀଙ୍କୁ ହରାଇଛି। ଦିଲ୍ଲୀବାସୀ ଦିଲ୍ଲୀର ବିକାଶ କାର୍ଯ୍ୟ ପାଇଁ ତାଙ୍କୁ ସର୍ବଦା ମନେ ରଖିବେ। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କହିଛନ୍ତି ଶୀଲା ଦୀକ୍ଷିତଙ୍କ ବିୟୋଗ ମତେ ଗଭୀର ଦୁଃଖ ଦେଇଛି। ଲୋକସଭା ନିର୍ବାଚନରେ ସେ ମୋର ବିଜୟକୁ ଜଣେ ମା’ ଭଳି ସ୍ବାଗତ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଶୀଲା ଦୀକ୍ଷିତଙ୍କ ବିୟୋଗ ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ କ୍ଷତି। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଦିଲ୍ଲୀର ବିକାଶ କ୍ଷେତ୍ରରେ ଶୀଲାଙ୍କ ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ।

ସମ୍ବନ୍ଧିତ ଖବର