ସରକାରୀ ବିଭାଗରେ ରହିପାରିବ ନାହିଁ ୧୫ ବର୍ଷ ପୁରୁଣା ଗାଡ଼ି

ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ହଟାଇ ଦିଆଯିବ । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରେ ୧୫ ବର୍ଷରୁ ଅଧିକ ପୁରୁଣା  ଗାଡ଼ି ଚାଲିପାରିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୀତି ପ୍ରସ୍ତୁତ କରି ରାଜ୍ୟ ସରକାରମାନଙ୍କୁ ପଠାଇଛନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଏହି ନୀତି ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ବିଭାଗରେ ଚାଲୁଥିବା ୧୫ ବର୍ଷରୁ ପୁରୁଣା ଗାଡ଼ି ହଟେଇବାକୁ କୁହାଯାଇଛି । ଏସବୁ ଗାଡ଼ି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବସ୍, ଟ୍ରକ୍, କାର କିମ୍ବା ଏସୟୁଭି ।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ଏକ ଭେହିକ୍ଲ ସ୍କ୍ରାପେଜ୍ ପଲିସି (ଗାଡ଼ି ବଦଳ ନୀତି) ଘୋଷଣା କରିଥିଲେ । ଏପ୍ରିଲ ୧, ୨୦୨୨ରୁ ଏହା ଲାଗୁ ହୋଇଛି । ଏହା ମାଧ୍ୟମରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନୂଆ ନିର୍ଦ୍ଦେଶ ଉକ୍ତ ସ୍କ୍ରାପେଜ୍ ପଲିସୀର ଏକ ଅଂଶ ବୋଲି କୁହାଯାଉଛି ।

କେନ୍ଦ୍ର ସରକାର ଏହି ସ୍କ୍ରାପେଜ୍ ନୀତି ଘୋଷଣା କରିବାର ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ରେ ଦିଲ୍ଲୀ ପାଇଁ ସମାନ ନିର୍ଦ୍ଦେଶ ଜାରି କରିଥିଲେ । ଏହା ଅନୁସାରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଚଳାଚଳକୁ ନିଷିଦ୍ଧ କରାଯାଇଥିଲା ।

ସମ୍ବନ୍ଧିତ ଖବର