ଇଟାଲୀରୁ ଅମୃତସରକୁ ଆସିଥିବା ବିମାନରୁ ୧୫୦ ଜଣ ଯାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ପୁଣି ବିଦେଶରୁ ଆସିଲା କରୋନା ସଂକ୍ରମଣ । ଇଟାଲୀରୁ ପଞ୍ଜାବକୁ ଆସିଥିବା ବିମାନରେ ଆଜି ପୁଣି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇଟାଲୀରୁ ଆସିଥିବା ଯାତ୍ରୀଙ୍କ ମଧ୍ୟରେ ପ୍ରାୟ ୧୫୦ ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନାଇସ ଏୟାରଲାଇନ୍ସରେ ଇଟାଲୀରୁ ଆସିଥିବା ୨୯୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିମାନରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଅମୃତସରରେ କ୍ୱାରେଣ୍ଟିନରେ ରଖାଯାଇଛି । ଏହାପୂର୍ବରୁ ଗତକାଲି ଇଟାଲୀରୁ ଆସିଥିବା ବିମାନରୁ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

 

ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ପରେ ଇଟାଲୀକୁ ଆଟ ରିସ୍କ ଦେଶ ତାଲିକାରେ ରଖିଛି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅଥାର୍ତ ଇଟାଲୀରୁ ଆସୁଥିବା ଯାତ୍ରୀ ଉଡାଣ ପୂର୍ବରୁ କରୋନା ଟେଷ୍ଟ କରିବେ ଓ ବିମାନବନ୍ଦରରେ ପହଞ୍ଚିବା ପରେ ପୁଣିଥରେ ଟେଷ୍ଟ କରାଯିବ । କେବଳ ଇଟାଲୀ ନୁହେଁ ଶୁକ୍ରବାର ଭାରତ ସରକାର କଙ୍ଗୋ, ଇଥୋପିଆ, କେନିଆ, ନାଇଜେରିଆ, ଟ୍ୟୁନିସିଆ, ଜାମ୍ବିଆ ଓ କାଜାଖସ୍ଥାନକୁ ମଧ୍ୟ ଆଟ୍ ରିସ୍କ ଦେଶ ତାଲିକାରେ ସାମିଲ କରିଛି । ତେଣୁ ଏଠାରୁ ଆସୁଥିବା ଯାତ୍ରୀଙ୍କର କରୋନା ଟେଷ୍ଟ ବାଧ୍ୟତାମୂୂଳକ କରାଯାଇଛି ।

ଏବେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲାଣି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଓମିକ୍ରନ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସମ୍ବନ୍ଧିତ ଖବର